

ସତ୍ୟଶିଖା( କୋଣାର୍କ )୨୨.୦୭. ୨୦୨୨: କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍ ସେବା ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୋଣାର୍କ ଓ ନିମାପଡା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ ରଖିବା ସହ ମୋ ବସକୁ ବସ୍ଷ୍ଟାଣ୍ଡରେ ଅଟକ ରଖାଯାଇଛି। ବସ୍ ସଂଘ ଅଭିଯୋଗ ଅନୁସାରେ, ଦୀର୍ଘ ଦୁଇ ବର୍ଷ ହେଲା ୬ଟି ମୋ ବସ୍ ପର୍ଯ୍ୟାୟ କ୍ରମେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କ ଆସୁଛି। ତାର ଗୋଟିଏରୁ ୨ ମିନିଟ୍ ବ୍ୟବଧାନରେ ଘରୋଇ ବସ୍ ଗୁଡ଼ିକ ଭୁବନେଶ୍ୱରରୁ କୋଣାର୍କ ଆସୁଛି।
ଅଧିକ ସଂଖ୍ୟାରେ ଯାତ୍ରୀମାନେ ମୋ ବସ୍ରେ ଯିବା ଆସିବା କରୁଛନ୍ତି। ଘରୋଇ ବସ୍ରେ ଅଳ୍ପ ସଂଖ୍ୟକ ଯାତ୍ରୀ ଯାତାୟତ କରୁଛନ୍ତି। ଫଳରେ ଘରୋଇ ବସ୍ ମାଲିକ, ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ କୋଣାର୍କ ଓ ନିମାପଡ଼ା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କୋଣାର୍କ-ଭୁବନେଶ୍ୱର ଓ କାକାଟପୁର-ଭୁବନେଶ୍ୱର ରୁଟ୍ରେ ସମସ୍ତ ଘରୋଇ ବସ୍ ସେବା ବନ୍ଦ ରଖାଯାଇଛି। ଏଥିସହ ସଂଘ ପକ୍ଷରୁ କୋଣାର୍କକୁ ଆସୁଥିବା ମୋ ବସକୁ କୋଣାର୍କ ବସଷ୍ଟାଣ୍ଡରେ ଅଟକ ରଖାଯାଇଛି। ଫଳରେ କୋଣାର୍କରୁ ଭୁବନେଶ୍ୱର ଓ କାକଟପୁରରୁ ଭୁବନେଶ୍ୱର ଯାତାୟତ ପ୍ରଭାବିତ ହୋଇଛି।
କୋଣାର୍କ ବୁଲିବାକୁ ଆସୁଥିବା ଯାତ୍ରୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ମୋ ବସ୍ ସେବା ଗୁଡ଼ିକ ବିନା ପରିମିଟରେ ଚାଲୁଥିବା ବସ୍ ମାଲିକ ସଂଘ ଅଭିଯୋଗ କରିଛି।