ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଚେକିଂ କରିବାକୁ ନିର୍ଦ୍ଦେଶ ଦେଇ କିଛି ସମୟ ନିଲମ୍ବିତ ହୋଇଥିବା ଆଇଏଏସ ଅଫିସର ମହମ୍ମଦ ମୋହସିନ ପୁଣିଥରେ ଚର୍ଚ୍ଚାରେ।
କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଦେଇଥିବା ତବଲିଗି ଜମାତର ସଦସ୍ୟମାନଙ୍କୁ ସେ ପ୍ରଶଂସା କରିଥିବାରୁ ଏହାକୁ କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାର ସହ୍ୟ କରିପାରିନାହାନ୍ତି। ଏଥିପାଇଁ ସରକାର ଜମାତିମାନଙ୍କ ପ୍ରଶଂସା କରିଥିବା ଆଇଏଏସ ମହମ୍ମଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ତବଲିଗି ଜମାତର ସଦସ୍ୟମାନେ ଦେଶରେ କରୋନା ସଂକ୍ରମଣକୁ ବ୍ୟାପକ କରିଥିବା କିଛି ନିର୍ଦ୍ଦିଷ୍ଟ ମିଡିଆ ଓ ସୋଶାଲ ମିଡିଆରେ ପ୍ରଚାର କରାଯାଇଥିଲା। ତେବେ କରୋନାରୁ ସୁସ୍ଥ ହୋଇଥିବା ୩ଶହରୁ ଅଧିକ ଜମାତି ପ୍ଲାଜମା ଦେଇ ଲୋକଙ୍କୁ ବଞ୍ଚାଇବାକୁ ଆଗେଇ ଆସିବାରୁ ଚାରିଆଡ଼େ ଏହାକୁ ନେଇ ଚର୍ଚ୍ଚା। ହେଲେ ଗଣମାଧ୍ୟମ ଗୁଡ଼ିକ ଯେଉଁ ବେଗରେ ନିଜାମୁଦ୍ଦିନ ନିଜାମୁଦ୍ଦିନ କହି ଚିତ୍କାର କରୁଥିଲେ। ଏବେ ଜମାତିଙ୍କ ପାଇଁ ସେଭଳି ଖବର ପ୍ରକାଶ କରୁନାହିଁ।
ଆହୁରି ପଢ଼ନ୍ତୁ
ଏହାକୁ ଦୃଷ୍ଟିରେ ରଖି ଆଇଏଏସ ମହମ୍ମଦ ସୋଶାଲ ମିଡିଆରେ କହିଥିଲେ ଯେ “୩୦୦ରୁ ଅଧିକ ତବଲିଗି ହିରୋମାନେ ପ୍ଲାଜମା ଦାନ କରି ଦେଶ ସେବା କରିବାକୁ ଆଗେଇ ଆସିଛନ୍ତି। ଏବେ କୁଆଡ଼େ ଗଲେ ମିଡିଆ? ସେମାନେ ଏହି ହିରୋମାନେ ଦେଖାଇଥିବା ମାନବିତକାକୁ କେବେ ହେଲେ ପ୍ରଦର୍ଶନ କରିପାରିବେ ନାହିଁ।”
ଏପ୍ରିଲ ୨୭ରେ ସେ ଏଭଳି ଟ୍ୱିଟ କରିଥିଲେ। ତେବେ ଏହାକୁ କର୍ଣ୍ଣାଟକା ସରକାର ସମାଲୋଚନା କରିଛନ୍ତି। ତାଙ୍କୁ ଏପ୍ରିଲ ୩୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୫ ଦିନ ମଧ୍ୟରେ ସେ ସନ୍ତୋଷଜନକ ଉତ୍ତର ନ ଦେଇ ପାରିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।
ମହମ୍ମଦ କହିଛନ୍ତି, ମୁଁ କରୋନା ପାଇଁ ଜାରି ହୋଇଥିବା ହେଲପଲାଇନ ନମ୍ବର ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ନିର୍ଦ୍ଦେଶନାମାକୁ ୪୦ରୁ ୫୦ ଥର ସୋଶାଲ ମିଡିଆରେ ଶେୟାର କରିଛି। ଏପରି କି କୋଭିଡ-୧୯ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ସମସ୍ତଙ୍କୁ ନିବଦେନ କରିଛି। ସେତେବେଳେ ସୋଶାଲ ମିଡିଆ ପୋଷ୍ଟ ପାଇଁ ନୋଟିସ ହୋଇ ନଥିଲା। ହେଲେ ଏବେ ମୋତେ ନୋଟିସ କରାଯାଇଛି।