ରାଜ୍ୟ

ପ୍ରବାସୀ ଶ୍ରମିକଙ୍କୁ ଆଗୁଆ ଟ୍ରେନ୍‌ ଭଡ଼ା ଦେବେ, ପରେ କାଟିନେବେ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟକୁ ଫେରିବା ପାଇଁ ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ପ୍ରଥମେ ଓଡ଼ିଶା ସରକାର ବହନ କରିବେ। ତେବେ ଏହି ଖର୍ଚ୍ଚକୁ ପରେ କ୍ୱାରେଣ୍ଟାଇନ୍ ରହଣୀ କାଳ ଭତ୍ତା ବାବଦ ସେମାନେ ପାଇବାକୁ ଥିବା ଅର୍ଥରୁ ରାଜ୍ୟ ସରକାର କାଟି ନେବେ।  କରୋନା ପାଇଁ ଲକଡାଉନ ଯୋଗୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ଓ ସେମାନଙ୍କୁ ରାଜ୍ୟ ସରକାର ଏହି ବାବଦରେ୨ହଜାର ଟଙ୍କା ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ତେବେ ଏହି ଅର୍ଥରୁ ସେମାନଙ୍କ ଓଡ଼ିଶା ଫେରିବା ବାବଦ ଟ୍ରେନ ଭଡ଼ାକୁ କାଟି ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ‍‍‍କ୍ଷରୁ କୁହାଯାଇଛି ଯେ, ଯେଉଁ ରାଜ୍ୟରୁ ଶ୍ରମିକମାନେ ଆସିବେ ଯଦି ସେଠାକାର ସରକାର ଏହି ଭଡ଼ା ବହନ ନକରନ୍ତି, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ କରିବେ। ତେବେ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟ ସରକାର ଦେବାକୁ ଥିବା କ୍ୱାରେଣ୍ଟାଇନ୍ ରହଣୀ ବାବଦ ୨ହଜାର ଟଙ୍କାର ପ୍ରୋତ୍ସାହନ ରାଶିରୁ ପରେ ଏହି ଖର୍ଚ୍ଚ ରାଶି କାଟି ଦିଆଯିବ। ଅନ୍ୟ ରାଜ୍ୟ ସରକାର ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଗସ୍ତ ଖର୍ଚ୍ଚ ବହନ କରୁନଥିବାରୁ ଓଡ଼ିଶା ସରକାର ଏହି ଖର୍ଚ୍ଚ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଛି।

ଉଲ୍ଲେଖଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କ ଫେରିବା ଭଡ଼ା କେନ୍ଦ୍ର ସରକାର ୮୫ ପ୍ରତିଶତ ବହନ କରୁଛନ୍ତି ବୋଲି ଦାବି କରୁଥିବାବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପ୍ରବାସୀ ଶ୍ରମିକଙ୍କ ଭଡ଼ା ଖର୍ଚ୍ଚ ତୁଲାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଓଡ଼ିଶା ସରକାର ରାଜ୍ୟ କଂଗ୍ରେସର ପ୍ରସ୍ତାବକୁ ଅଣଦେଖା କରି ଏବେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଟ୍ରେନ ଭଡ଼ା ସେମାନଙ୍କର କ୍ୱାରେଣ୍ଟାଇନ ପ୍ରୋତ୍ସାହନ ରାଶିରୁ କାଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

[ad_2]
Show More
Back to top button