
ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୨/୧୦୨୧ : କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍କିଟ୍ (ଟୁଇଟ୍)କୁ ନେଇ ଦେଶରେ ନୂଆ ଝଡ ସୃଷ୍ଟି ହୋଇଛି । ଏହି ମାମଲାରେ ଯୁବ ଜଳବାୟୁ କର୍ମୀ ଦିଶା ରବି (୨୧)ଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି । ଦିଶା ଏବେ ଦିଲ୍ଲୀ ପୁଲିସ ହେପାଜତରେ ଥିବାବେଳେ ଟୁଲ୍କିଟ୍ ସମ୍ପାଦନାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ସାମାଜିକ କର୍ମୀ ଶାନ୍ତନୁ ଓ ନିକିତା ଜ୍ୟାକବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି । ନିକିତା ବମ୍ବେ ହାଇକୋର୍ଟର ଜଣେ ଓକିଲ ଓ ଶାନ୍ତନୁ ଜଣେ ଇଞ୍ଜିନିୟର । ଶାନ୍ତନୁ ଏକ ଏନଜିଓ ଚଳାଉଛନ୍ତି । ଜନତାଙ୍କ ଉତ୍ତେଜନା ଉପରେ ସୋମବାର ଦିଲ୍ଲୀ ପୁଲିସ ସାମ୍ବାଦିକ ସମ୍ମିଳନୀ ଡକାଇ ଜବାବ ରଖିଛି । ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ଯୁଗ୍ମ କମିସନର (ସାଇବର) ପ୍ରେମ ନାଥ କହିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ଭାରତକୁ ବିଶ୍ବ ଦରବାରରେ ନିନ୍ଦିତ କରିବାକୁ ଦିଶା ଓ ତାଙ୍କର ସାଥୀମାନେ ଷଡଯନ୍ତ୍ର କରିଥିଲେ । ଖଲିସ୍ତାନ ସପକ୍ଷବାଦୀ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଏଫଜେ) ଏହି ଷଡଯନ୍ତ୍ରର ସୂତ୍ରଧର । ପିଏଫଜେର ପ୍ରରୋଚନାରେ ଦିଶା ଓ ତାଙ୍କ ସାଥୀମାନେ ଟୁଲକିଟର ସମ୍ପାଦନା କରିଥିଲେ । ଭାରତ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ କରିବାକୁ ସେମାନେ ଟୁଲକିଟ୍ ପ୍ରସ୍ତୁତ କରିଥିଲେ । ପ୍ରସ୍ତୁତ ଟୁଲ୍କିଟ୍କୁ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଫେବୃଆରୀ ୪ରେ ଟୁଇଟ୍ କରିଥିଲେ ।
ପୁଲିସ କହିଛି ଯେ ପିଏଫ୍ଜେର ଷଡ଼ଯନ୍ତ୍ର ଆଧାରରେ ଦିଶା ଓ ଅନ୍ୟ ସାମାଜିକ କର୍ମୀ ସମନ୍ବିତ ଯୋଜନା ପୂର୍ବକ ଟୁଲକିଟ୍ ସମ୍ପାଦନା କରିଥିଲେ । ସମ୍ପାଦିତ ଟୁଲ୍କିଟ୍କୁ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ନିକଟକୁ ଟେଲିଗ୍ରାମ ମାଧ୍ୟମରେ ପଠାଯାଇଥିଲା । ଥନବର୍ଗ ଏହି ଟୁଲ୍କିଟ୍କୁ ଫେବୃଆରୀ ୪ରେ ଟୁଇଟ୍ କରିଥିଲେ । ଥନବର୍ଗଙ୍କ ଟୁଇଟ୍ ପରେ ପୁଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲା । ଗ୍ରେଟା ଯେଉଁ ହାସ୍ଟ୍ୟାଗକୁ ଟୁଇଟ୍ କରିଥିଲେ ତାକୁ ଦିଶା ଓ ଅନ୍ୟମାନେ ସମ୍ପାଦନା (ପ୍ରସ୍ତୁତ) କରିଥିଲେ । ପିଏଫଜେ ପକ୍ଷରୁ କାନାଡାର ମହିଳା ପୁନିତ୍ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି । ପୁନିତ୍ ପ୍ରଥମେ ନିକିତାଙ୍କୁ ଯୋଗାଯୋଗ କରିଥିଲେ । ଜାନୁଆରୀ ୧୧ରେ ଏକ ଜୁମ୍ ବୈଠକ ଆୟୋଜନ ହୋଇଥିଲା । ଏଥିରେ ପିଏଫଜେର ପ୍ରତିଷ୍ଠାତା ଧାଲିୱାଲା, ନିକିତା, ଦିଶା ରବି, ଶାନ୍ତନୁଙ୍କ ସମେତ ୬୦ଜଣ ସାମିଲ ହୋଇଥିଲେ । ବୈଠକରେ ଟୁଲ୍କିଟ୍ର ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଦିଲ୍ଲୀ ପୁଲିସ କହିଛି ।ଯୋଜନା ଆଧାରରେ ନିକିତା, ଶାନ୍ତନୁ ଓ ଦିଶା ଟୁଲ୍କିଟ୍ ପ୍ରସ୍ତୁତ କରିଥିଲେ । ଗ୍ରେଟାଙ୍କ ଟୁଇଟ୍ ପରେ ପୁଲିସ ଏହା ଉପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗୁଗଲଠାରୁ ଆବଶ୍ୟକ ତଥ୍ୟ ଯୋଗାଡ଼ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଫେବୃଆରୀ ୯ରେ ନିକିତା ଜ୍ୟାକବ୍ଙ୍କ ଘରେ ପୁଲିସ ପ୍ରଥମେ ଚଢଉ କରି ଦୁଇଟି ଲାପଟପ୍ ଓ ମୋବାଇଲ ଜବତ କରିଥିଲେ । ଚଢଉ ପୂର୍ବରୁ ମୁମ୍ବଇ ପୁଲିସକୁ ସୂଚନା ଦିଆଯାଇଥିଲା । ତେବେ ଚଢଉ ସମୟରେ ନିକିତା ଫେରାର ହୋଇଯାଇଥିଲେ । ପରେ ଦିଶା ରବି ଓ ଶାନ୍ତନୁଙ୍କୁ ଗିରଫ କରିବାକୁ ପୁଲିସ ଚଢଉ କରିଥିଲା । ପୁଲିସ କହିଛି ଯେ ଦିଶାଙ୍କ ଜବତ ମୋବାଇଲ ଫୋନର ତଥ୍ୟ ଅନୁଯାୟୀ ସମ୍ପାଦିତ ଟୁଲ୍କିଟ୍କୁ ସେ ଟେଲିଗ୍ରାମ ଆପ୍ ମାଧ୍ୟମରେ ଗ୍ରେଟା ଥନବର୍ଗଙ୍କ ନିକଟକୁ ପଠାଇଥିଲେ । ଟୁଲ୍କିଟ ସମ୍ପର୍କରେ କିଛି ନ କହିବାକୁ ଗ୍ରେଟାଙ୍କୁ ଦିଶା କହିଥିଲେ । କାରଣ ଦିଶା ଜାଣିଥିଲେ ଯେ ତାଙ୍କର କାର୍ଯ୍ୟକଳାପ ଭାରତର ଆଇନ (ୟୁଏପିଏ) ଅନୁଯାୟୀ ଦଣ୍ଡନୀୟ ଅପରାଧ ।