ପୁରୀ ରଥାଯାତ୍ରା ପାଇଁ ଜାରି ହେଲା ସୁପ୍ରିମକୋର୍ଟଙ୍କ ଗାଇଡଲାଇନ


ନୂଆଦିଲ୍ଲୀ: ଆସନ୍ତାକାଲି ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସୁପ୍ରିମକୋର୍ଟ ସର୍ତ୍ତଭିତ୍ତିକ ଅନୁମତି ଦେଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ସମନ୍ୱୟ ରକ୍ଷା କରି କାମ କରିବାକୁ କହିଛନ୍ତି। ଏଥିପାଇଁ ସର୍ବୋଚ୍ଚ ଅଦାଲତ କିଛି ସର୍ତ୍ତାବଳୀ ଜାରି କରିଛନ୍ତି।
ସର୍ତ୍ତ ଅନୁଯାୟୀ:
୧- କରୋନା ସଂକ୍ରମଣ ଯେମିତି ନ ବ୍ୟାପିବ ସେଥିପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବେ।
୨-ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ ହେବ ଓ ସହରରେ କର୍ଫ୍ୟୁ ଲାଗୁ କରାଯିବ।
୩-ପୁଲିସ୍ ଓ ଅଧିକାରୀଙ୍କୁ ମିଶାଇ ଗୋଟିଏ ରଥକୁ ସର୍ବାଧିକ ୫୦୦ ଜଣ ଲୋକ ଟାଣିପାରିବେ।
୪-ମହାପ୍ରଭୁଙ୍କ ରୀତିନୀତି ପାଇଁ ଯେତେ ସମ୍ଭବ କମ ସେବାୟତକୁ ନିୟୋଜିତ କରାଯିବ।
୫-ରଥଯାତ୍ରାକୁ ଟିଭିରେ ସିଧାପ୍ରସାରଣ ପାଇଁ ଅନୁମତି ଦିଆଯିବ।
୬-ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ଲୋକଙ୍କର କରୋନା ଟେଷ୍ଟ କରାଯିବ।
ଆହୁରି ପଢ଼ନ୍ତୁ
୭- ନେଗେଟିଭ ରିପୋର୍ଟ ଥିବା ଲୋକଙ୍କୁ ହିଁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ।
୮-ରଥଯାତ୍ରା ବେଳେ ପୁରୀରେ ଥିବା ସମସ୍ତ ବସ୍ ଓ ଟ୍ରେନ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ସିଲ ହେବ।
୯-କର୍ଫ୍ୟୁ ବେଳେ କେହି ବି ପଦାକୁ ଆସିପାରିବେ ନାହିଁ। ସେହିପରି ହୋଟେଲ ଓ ଲଜିଂରେ ଥିବା ଲୋକମାନେ ବାହାରି ପାରିବେ ନାହିଁ।
୧୦- ରଥ ରଥ ମଧ୍ୟରେ ବ୍ୟବଧାନ ଏକ ଘଣ୍ଟା ରହିବ।
୧୧-ରଥ ଟାଣିବା କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ ଏହା ପୂର୍ବରୁ, ଏହି ସମୟରେ ଓ ଏହା ପରେ ସାମଜିକ ଦୂରତା ଅବଲମ୍ବନ କରିବେ।
୧୨-ରଥଯାତ୍ରା କାର୍ଯ୍ୟରେ ସାମିଲ ଥିବା ଲୋକମାନଙ୍କ ବିସ୍ତୃତ ତଥ୍ୟ ରାଜ୍ୟ ସରକାର ନିଜ ପାଖରେ ରଖିବେ। ମେଡିକାଲ ଟେଷ୍ଟ ନିଜ ପାଖରେ ରଖିବାକୁ ରାଜ୍ୟ ସରକାର ବାଧ୍ୟ।
ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବା ପରେ ରାଜ୍ୟ ସରକାର ସମଗ୍ର ପୁରୀ ଜିଲ୍ଲାକୁ ଆଜି ରାତି ୯ଟାରୁ ଶଟଡାଉନ ଘୋଷଣା କରିଛନ୍ତି। ବୁଧବାର ଦିନ ୨ଟା ଯାଏ ଏହା ବଳବତ୍ତର ରହିବ।
ପୁରୀ ଲୋକଙ୍କୁ ବଡ଼ଦାଣ୍ଡ ଓ ପୁରୀ ବାହାର ଲୋକଙ୍କୁ ଜିଲ୍ଲା ମଧ୍ୟକୁ ପ୍ରବେଶ ନ କରିବା ପାଇଁ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟ ସରକାର ଗୋଟିଏ ରଥ ଉପରେ ୧୦ ଜଣ ଲୋକ ରହିବାକୁ ଅନୁମତି ଦେଇଛନ୍ତି। ୩ ରଥ ପାଇଁ ୧୫ଶହ ଲୋକଙ୍କୁ ହିଁ ସେବା କରିବାକୁ ଓ ଟାଣିବାକୁ ଅନୁମତି ମିଳିବ ବୋଲି ସରକାର କହିଛନ୍ତି।