ଜୀବନମନ୍ତ୍ରଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଶରୀରରେ ୫ମାସ ରହୁଛି କରୋନା ଆଣ୍ଟିବଡି : ଗବେଷଣା

ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କଠାରେ ଆଣ୍ଟିବଡି ଏତେ ଶୀଘ୍ର ଉଭାନ ହୋଇଯାଉ ନାହିଁ । ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଏହି ଆଣ୍ଟିବଡି ୫ ମାସ ପର୍ଯ୍ୟନ୍ତ ତିଷ୍ଠି ରହୁଛି । ଆମେରିକାରେ କୋଭିଡ-୧୯ ଭୂତାଣୁ ଉପରେ ଗବେଷଣା କରୁଥିବା କିଛି ବିଶେଷଜ୍ଞ ଏଭଳି ଦାବି କରିଛନ୍ତି । ଏହି ଗବେଷକଙ୍କ ମଧ୍ୟରେ ଭାରତୀୟ ପ୍ରଫେସର ଦୀପ୍ତ ଭଟ୍ଟାଚାର୍ଯ୍ୟ ରହିଛନ୍ତି । ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଗବେଷକ ଦଳ ଆମେରିକାରେ ୬,୦୦୦ ସଂକ୍ରମିତ ଲୋକଙ୍କ ନମୁନା ସଂଗ୍ରହ କରିଥିଲେ । ଏହା ଉପରେ କିଛିଦିନ ଧରି ଗବେଷଣା କରିଥିଲେ । କରୋନାରୁ ଆରୋଗ୍ୟ ଲାଭ କରିଥିବା ଏହି ଲୋକଙ୍କ ଶରୀରରେ ସେମାନେ ଆଣ୍ଟିବଡି ଠାବ କରିଥିଲେ । ଲୋକଙ୍କ ଶରୀରରେ ଆଣ୍ଟିବଡି ହାରାହାରି ୫-୭ ମାସ ରହୁଥିବା ସେମାନେ ଜାଣିବାକୁ ପାଇଥିଲେ ।ୟୁନିଭର୍ସିଟି ଅଫ୍‌ ଆରିଜୋନାରେ ସହକାରୀ ପ୍ରଫେସର ଥିବା ଭଟ୍ଟାଚାର୍ଯ୍ୟ କହିଛନ୍ତି, ସାର୍ସ-କୋଭ-୨ ସଂକ୍ରମଣ ପରେ ୫ ମାସ ପର୍ଯ୍ୟନ୍ତ ଉଚ୍ଚଗୁଣଯୁକ୍ତ ଆଣ୍ଟିବଡି ଆମେ ସ୍ପଷ୍ଟ ଭାବେ ଦେଖିପାରିଛୁ । କିଛି କ୍ଷେତ୍ରରେ ୭ ମାସ ପର୍ଯ୍ୟନ୍ତ ବି ଏହା ଦେଖିବାକୁ ମିଳୁଛି । ପ୍ରତିରୋଧକ ଶକ୍ତି ବେଶି ଦିନ ପର୍ଯ୍ୟନ୍ତ ରହିପାରୁ ନ ଥିବାରୁ ଏହାକୁ ନେଇ ଅନେକ ବିଶେଷଜ୍ଞ ଚିନ୍ତାପ୍ରକଟ କରିଛନ୍ତି । କିନ୍ତୁ ଆମେ ବ୍ୟାପକ ଗବେଷଣା ପରେ ଜାଣିବାକୁ ପାଇଛୁ ଯେ ପ୍ରତିରୋଧକ ଶକ୍ତି ଅତିକମ୍‌ରେ ୫ ମାସ ପର୍ଯ୍ୟନ୍ତ ସ୍ଥିର ରହୁଛି । ତେଣୁ ଏ ଦିଗରୁ ଭୟଭୀତ ହେବା ଉଚିତ ନୁହେଁ । ଉଲ୍ଲେଖଯୋଗ୍ୟ, ଅଧିକାଂଶ ରାଷ୍ଟ୍ରରେ କରୋନାର ପୁନଃ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ନିକଟରେ ଆମେରିକାର ଜଣେ ବ୍ୟକ୍ତି ୪୮ ଦିନ ମଧ୍ୟରେ ଆଉଥରେ ସଂକ୍ରମିତ ହୋଇଛନ୍ତି ।ଗବେଷକମାନେ କହିଛନ୍ତି, ଭୂତାଣୁ ଯେତେବେଳେ ପ୍ରଥମେ କୋଷଗୁଡ଼ିକୁ ସଂକ୍ରମିତ କରେ, ସେତେବେଳେ ପ୍ରତିରୋଧକ ବ୍ୟବସ୍ଥା ଆଣ୍ଟିବଡି ସୃଷ୍ଟି ପାଇଁ ଅସ୍ଥାୟୀ ପ୍ଲାଜମା ସେଲକୁ ନିର୍ଦ୍ଦେଶ ଦେଇଥାଏ, ଯାହା କି ତୁରନ୍ତ ଭୂତାଣୁ ବିରୋଧରେ ଲଢ଼ିଥାଏ । ସଂକ୍ରମଣର ୧୪ ଦିନ ମଧ୍ୟରେ ରକ୍ତ ପରୀକ୍ଷାରେ ଆଣ୍ଟିବଡି ଦେଖିବାକୁ ମିଳିଥାଏ । କିନ୍ତୁ ପ୍ରତିରୋଧ ପ୍ରତିକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ଦୀର୍ଘକାଳୀନ ପ୍ଲାଜମା ସେଲ ସୃଷ୍ଟି ହୋଇଥାଏ, ଯାହା ଉଚ୍ଚ ଗୁଣଯୁକ୍ତ ଆଣ୍ଟିବଡି ଉତ୍ପାଦନ କରିଥାଏ । ଏହା ୫-୭ ମାସ ପର୍ଯ୍ୟନ୍ତ ଶରୀରରେ ରହିଥାଏ । ଏହାପରେ ମଧ୍ୟ ଶରୀରର ପ୍ରତିରୋଧକ ବ୍ୟବସ୍ଥା ଦୀର୍ଘଦିନ ପର୍ଯ୍ୟନ୍ତ ସୁଦୃଢ଼ ରହିଥାଏ ବୋଲି ଗବେଷକମାନେ ଦାବି କରିଛନ୍ତି ।ଅନ୍ୟପକ୍ଷରେ ସାର୍ସ-କୋଭ-୨ ଭୂତାଣୁଠାରୁ ସ୍ଥାୟୀ ଭାବେ ସୁରକ୍ଷା ଯୋଗାଇବାରେ ଆଣ୍ଟିବଡି ସମର୍ଥ କି ନାହିଁ, ତାହାର ଉତ୍ତର ଦେବା କଷ୍ଟକର ବ୍ୟାପାର ବୋଲି ଆରିଜୋନା ହେଲ୍‌ଥ ସାଇନ୍ସେସର ବରିଷ୍ଠ ଉପସଭାପତି ମାଇକେଲ ଡି ଡେକ୍‌ କହିଛନ୍ତି । ଏହି ଗବେଷଣା ଆମକୁ କରୋନା ଆଣ୍ଟିବଡିର ଠିକ୍‌ ପରୀକ୍ଷା କରାଇବାର ଦକ୍ଷତା ପ୍ରଦାନ କରିଛି । ଏମିତି କି ବାସ୍ତବରେ ପ୍ରତିରୋଧକ ଶକ୍ତି ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ ବୋଲି ଆମେ ଭାବିପାରୁଛୁ ।

Show More
Back to top button