ପିଓକେ ତୁରନ୍ତ ଖାଲି କରିବାକୁ ପାକିସ୍ତାନକୁ ଭାରତର ଚେତାବନୀ


ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ସ୍ଥିତାବସ୍ଥାରେ ଇସଲାମାବାଦ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବାରୁ ଭାରତ ସରକାର ଏହାର ଜୋରଦାର ବିରୋଧ କରିଛନ୍ତି। ପାକିସ୍ତାନର ସୁପ୍ରିମକୋର୍ଟ ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବା ସହ କାମଚଳା ସରକାର ନିଯୁକ୍ତ କରିବାକୁ ଇମ୍ରାନ ଖାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହେଲେ ପିଓକେର ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ପାକିସ୍ତାନର ଅଧିକାର ନାହିଁ ଓ ଏହା ଭାରତର ଆଭ୍ୟନ୍ତରୀଣ ଅଙ୍ଗ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଭାରତ ପକ୍ଷରୁ ପାକିସ୍ତାନର ଜଣେ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ କୁହାଯାଇଛି ଯେ ସମଗ୍ର ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଗିଲଗିଟ-ବାଲଟିସ୍ତାନ ରହିଛି।
ଆହୁରି ପଢ଼ନ୍ତୁ
ଏହା ଭାରତର ଆଭ୍ୟନ୍ତରୀଣ ଅଙ୍ଗ। ଏହା ଭାରତର ପୂର୍ଣ୍ଣ ଆଇଗତ ଅଧିକାର ରହିଛି। ପାକିସ୍ତାନ ସରକାର କିମ୍ବା ନ୍ୟାୟପାଳିକା ଏଠାରେ ଜୋରଜବରଦସ୍ତି କୌଣସି ନିୟମ ପ୍ରଣୟନ କରିପାରିବ ନାହିଁ। କାରଣ ପାକିସ୍ତାନ ବଳପୂର୍ବକ ଏହାକୁ ଅଧିକାର କରି ରଖିଛି।
ଭାରତର ଜମ୍ମୁ-କଶ୍ମୀର ଅଞ୍ଚଳରେ ପାକିସ୍ତାନ କୌଣସି ସ୍ଥିତାବସ୍ଥା ପରିବର୍ତ୍ତନ କରିପାରିବ ନାହିଁ। ଏପରି ସ୍ଥିତାବସ୍ଥା ପରିବର୍ତ୍ତନ କରିବା ଅପେକ୍ଷା ପାକିସ୍ତାନ ତୁରନ୍ତ ଏହି ସ୍ଥାନକୁ ଛାଡ଼ିଦେବା ଦରକାର। ପାକିସ୍ତାନ ଏଠାରେ କୌଣସି ବେଆଇନ କିମ୍ବା ମାନବାଧିକାରକୁ ଉଲ୍ଲଙ୍ଘନ କରିବ ପାରିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି।