ଅପରାଧନ୍ୟୁଜ୍ରାଜ୍ୟ

ବିଶ୍ୱାସଘାତକ ଡ୍ରାଇଭର, ମାଲିକଙ୍କ ଆକାଉଣ୍ଟରୁ ଚଳୁ କରିଥିଲା ୯.୯୫ ଲକ୍ଷ

ସତ୍ୟଶିଖା( ଭୁବନେଶ୍ୱର )୦୭.୦୩.୨୦୨୨ : ବିଶ୍ୱାସରେ ବିଷ ଦେଲା ଡ୍ରାଇଭର। ମାଲିକଙ୍କ ପାଖେ ପାଖେ ରହୁଥିଲା। କିନ୍ତୁ ତାଙ୍କୁ ଖୋଳ କରୁଥିଲା। ମାଲିକ ବି ଟେର୍ ପାଇ ନଥିଲେ। ସେ ଜାଣିଲା ବେଳକୁ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୯.୯୫ ଲକ୍ଷ ଟଙ୍କା। ସେ ଥାନାରେ ଅଭିଯୋଗ କରିଥିଲେ। ଆଉ ତଦନ୍ତ ବେଳେ ପୁଲିସ୍ ହାତରେ ପଡ଼ିଥିଲା ବିଶ୍ୱାସଘାତକ ଡ୍ରାଇଭର। ଏହି ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ।

ଗିରଫ ଅଭିଯୁକ୍ତର ନାଁ ମନୋଜ ମାହାନା (୩୫)। ତା’ ଘର ଡମଣାର ଗୋପୀନାଥ ସାହିରେ। ସେ ଡ. ଗୌରୀ ଦାସ (୭୧)ଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁଯାୟୀ, ମଝିରେ ଗୌରୀ ଦାସ ଅସୁସ୍ଥ ଥିଲେ। ସେଥିପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଡାକ୍ତରଖାନାରେ ପଡ଼ିଥିବା ସମୟରେ ତାଙ୍କ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ଅଜଣା ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରେନ୍ସଫର ହୋଇଥିଲା। ବ୍ୟାଙ୍କ ପାସ୍‌ବୁକ୍ ଅପ୍‌ଡେଟ୍ କରିବା ପରେ ଏକଥା ତାଙ୍କ ନଜରକୁ ଆସିଥିଲା। ତାଙ୍କ ମୋବାଇଲ୍‌ରୁ ଫୋନ୍‌ପେ’ ମାଧ୍ୟରେ ଏହି ସବୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାର ଖୋଳତାଡ଼ କରିଥିଲା। ତଦନ୍ତ ବେଳେ ଏ କାମ ଡ୍ରାଇଭର ମନୋଜ ମାହାନାର ବୋଲି ଜଣାପଡ଼ିଥିଲା।ପୁଲିସ୍‌ର ସୂଚନା ଅନୁଯାୟୀ, ଗୌରୀ ଦାସଙ୍କ ମୋବାଇଲରେ ମନୋଜ ଫୋନ୍‌ପେ’ ଆପ୍ ଡାଉନ୍‌ଲୋଡ୍ କରି ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର କରିଥିଲା। ମନୋଜ ତା’ ସ୍ତ୍ରୀ ଓ ମା’ଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲା। ଏହା ସହିତ ନିଜ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଇଥିଲା। ମନୋଜଠାରୁ ପୁଲିସ୍ ଦୁଇଟି ମୋବାଇଲ୍ ଫୋନ୍‌, ୩ଟି ସିମ୍‌, ୪ଟି ବ୍ୟାଙ୍କ୍ ପାସ୍‌ ବୁକ୍‌, ୩ଟି ଏଟିଏମ୍ କାର୍ଡ ଓ ଗୋଟିଏ ଆଧାରକାର୍ଡ ଜବତ କରିଛି।

Show More
Back to top button