ସତ୍ୟଶିଖା (ଭୁବନେଶ୍ୱର) ୨୩/୧୦/୨୦୨୦ : ଯେତିକି ଆଶା କରାଯାଉଥିଲା, ସେଭଳି ଲଗାଣ ବର୍ଷା ହେଲାନି । ଲଘୁଚାପ ଯଦିଓ ଅବପାତ ରୂପ ନେବା ପରେ ଭୀଷଣ ଅବପାତରେ ପରିଣତ ହେବାକୁ ବସିଛି, ତଥାପି ଓଡ଼ିଶାରେ ବର୍ଷା ପରିମାଣ ଅପେକ୍ଷାକୃତ କମ୍ ରହିଛି । ପାଣିପାଗ ପୂର୍ବାନୁମାନ କହୁଛି, ଏହି ଭୀଷଣ ଅବପାତ ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଉପକୂଳ ଛୁଇଁବ । ଓଡ଼ିଶାରେ ଆଜିଠାରୁ ବର୍ଷା ପରିମାଣ କମିବ । ତଥାପି ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଗାଣ ବର୍ଷା ସମ୍ଭାବନାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଅବପାତ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏହା ଘନ ଅବପାତ ରୂପ ନେବାକୁ ଯାଉଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିଛି ଜାଗାରେ ପାଣି ଜମିପାରେ । କିନ୍ତୁ, ବନ୍ୟା ସ୍ଥିତି ଉପୁଜିବା ଭଳି ଲାଗୁନାହିଁ । ତଥାପି ସମସ୍ତ ଜିଲ୍ଲା ପ୍ରଶାସନ ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି । ଜଳସମ୍ପଦ ବିଭାଗ ମଧ୍ୟ ସଜାଗ ଅଛି ।
ପାଣିପାଗ ବିଭାଗ କହିଛି, ଗୁରୁବାର ଦିନ ଅବପାତ (ଡିପ୍ରେସନ୍)ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିଲା । ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୮୦ କିମି ଦୂରରେ ରହିଥିଲା । ଶୁକ୍ରବାର ସକାଳ ସୁଦ୍ଧା ଏହା ଘନ ଅବପାତ (ଡିପ୍ ଡିପ୍ରେସନ୍) ରୂପ ନେବ । ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଶୁକ୍ରବାର ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗରେ ପଶିବ । ଗୁରୁବାର ସନ୍ଧ୍ୟାବେଳେ ଏହା ପୁରୀ-ପାରାଦୀପଠାରୁ ବେଶ୍ ଦୂରରେ ଗତି କରୁଥିଲା । ଶୁକ୍ରବାର ସକାଳ ସାଢ଼େ ୫ଟାବେଳେ ବାଲେଶ୍ୱରଠାରୁ ପ୍ରାୟ ୧୨୦ କିମି ଦୂରରେ ଥିବ । ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ଯିବାବେଳେ ଏହା ବାଲେଶ୍ୱର ସୀମାନ୍ତ ମୟୂରଭଞ୍ଜର ନିକଟତର ହୋଇ ଯିବା ସମ୍ଭାବନା ଅଛି । ଏହା ଦକ୍ଷିଣ-ପୂର୍ବକୁ ଢଳି ରହୁଥିବାରୁ ଓଡ଼ିଶାରେ ବେଶି ବର୍ଷା ହୋଇନପାରେ ।
ଅନୁମାନ କରାଯାଉଛି, ଗୁରୁବାର ରାତି ଭିତରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ବାକି ଅଞ୍ଚଳରେ ବର୍ଷା କମିପାରେ । ଶନିବାରଠାରୁ ବର୍ଷା ପରିମାଣ ଆହୁରି କମିବ । ତଥାପି ପ୍ରତିଦିନ ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇପାରେ । ଶୁକ୍ରବାର ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳରେ ୪୫-୬୫ କିମି ବେଗରେ ପବନ ବହିପାରେ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।