ପଶ୍ଚିମବଙ୍ଗକୁ ‘ଅମ୍ଫାନ’ ପାଇଁ କେନ୍ଦ୍ର ଦେଲା ୧ ହଜାର କୋଟି


କୋଲକାତା: ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏହା ବାତ୍ୟା ପାଇଁ ଅଗ୍ରୀମ ସହାୟତା ବୋଲି ମୋଦି କହିଛନ୍ତି। ଆଗକୁ କ୍ଷୟକ୍ଷତି ଆକଳନ କରିବା ପରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଆଜି ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ବୁଲିବା ପରେ ମୋଦି ଏହି ଆର୍ଥିକ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି।
ଆଜି ପ୍ରାୟ ୨ ଘଣ୍ଟା ଧରି ବାତ୍ୟା ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳକୁ ମୋଦି ହେଲିକପ୍ଟର ଦ୍ୱାରା ବୁଲି ଦେଖିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରହିଥିଲେ।
ସର୍ଭେ କରିବା ପରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଉତ୍ତର ୨୪ ପ୍ରଗଣାର ବଶିରହାଟ ନିକଟରେ ମୋଦି ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ। ସେ କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଅଗ୍ରୀମ ଭାବେ ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ୧ ହଜାର କୋଟି ଟଙ୍କାର ଅର୍ଥ ଘୋଷଣା କରୁଛନ୍ତି। ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରହିଛନ୍ତି।
ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି। ପଶ୍ଚିମବଙ୍ଗବାସୀଙ୍କ ସହ ପୂରା ଦେଶ ରହିଛି ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ
ବାତ୍ୟା ଅମ୍ଫାନରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ କେନ୍ଦ୍ରୀୟ ପାଣ୍ଠିରୁ ୨ ଲକ୍ଷ ଓ ଆହତଙ୍କୁ ୫୦ ଟଙ୍କାର ସହାୟତା ଯୋଗାଇ ଦିଆଯିବ। କ୍ଷୟକ୍ଷତିର ଆକଳନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ ପଶ୍ଚିମବଙ୍ଗ ଆସିବେ।
ସେମାନେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଭାରତ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ। ଏହି ଦୁର୍ଦ୍ଦିନରେ ଭାରତ ସରକାର ରାଜ୍ୟ ସହ କାନ୍ଧରେ କାନ୍ଧ ମିଳାଇ କାମ କରିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେଇଛନ୍ତି। ଆମେ ସ୍ଥିତିକୁ ଆଉ ଥରେ ସମୀକ୍ଷା କରିବୁ। ମୁଁ ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜଗଦୀପ ଧନଖାରଙ୍କ ସହ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛି। ମୁଁ ପଶ୍ଚିମବଙ୍ଗବାସୀଙ୍କୁ କହିବାକୁ ଚାହେଁ ଯେ ରାଜ୍ୟକୁ ପୁଣିଥରେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାର ମମତା ସରକାରଙ୍କ ସହ ମିଶି ସବୁ କିଛି କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ମୋଦି କହିଛନ୍ତି, ଗତବର୍ଷ ମେ’ ମାସରେ ଆଉ ଏକ ବାତ୍ୟା ହୋଇଥିଲା। ଏହା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିଲା। ଆମେ ତା’ ବି ମୁକାବିଲା କରିଥିଲୁ। ପୁଣି ବର୍ଷକ ପରେ ଆଉ ବାତ୍ୟା ଆମ ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିଛି। ପଶ୍ଚିମବଙ୍ଗ ଏହାଦ୍ୱାରା ଗଭୀର ଭାବେ କ୍ଷତି ସହିଛି।
ମୋଦିଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ।