ନୋଟବନ୍ଦୀ ଭଳି ଲକଡାଉନ୍: ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି


ନୂଆଦିଲ୍ଲୀ: କରୋନା ପାଇଁ ଦେଶ ଲକଡାଉନ୍ ରହିଛି। ଗରିବଙ୍କ ପାଇଁ ସରକାର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଏବେ ଆର୍ଥିକ ସହଯୋଗ ଅପେକ୍ଷାରେ ରହିଛନ୍ତି। ଲକଡାଉନ ପାଇଁ କ୍ଷତି ହୋଇଥିବାରୁ ଏମଏସଏମଇ ଶିଳ୍ପ ଆର୍ଥିକ ସହଯୋଗ ପାଇଁ ଦାବି କରିଛି। ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏ ବାବଦରେ ଜଣାଇଛନ୍ତି। ଏଥିସହ ସରକାରଙ୍କୁ ସେ କିଛି ପରାମର୍ଶ ଦେଇଛନ୍ତି।
ସୋନିଆ ଗାନ୍ଧି କହିଛନ୍ତି, ଦେଶର ଜିଡିପି ଅଭିବୃଦ୍ଧିରେ ଏମଏସଏମଇର ଏକ ତୃତୀୟାଂଶ ଅବଦାନ ରହିଛି। ଏହି ଶିଳ୍ପରେ ୧୧ କୋଟି ଲୋକ କାମ କରନ୍ତି। ହେଲେ ଲକଡାଉନ ପାଇଁ କମ୍ପାନୀମାନେ କର୍ମଚାରୀଙ୍କୁ ଦରମା ଦେବା ସ୍ଥିତିରେ ନାହାନ୍ତି। ତେଣୁ କର୍ମଚାରୀଙ୍କ ଚାକିରି ବିପଦରେ ରହିଛି। ଯଦି ସରକାର ଆବଶ୍ୟକ ସହାୟତା ନ କରିବେ ତା’ହେଲେ ୬.୩ କୋଟି ଏମଏସଏମଇ ବରବାଦ ହୋଇଯିବ।
ଲକଡାଉନ ହୋଇଥିବା ଯୋଗୁଁ ପ୍ରତିଦିନ ଦେଶର ଏମଏସଏମଇ ସେକ୍ଟର ୩୦ ହଜାର କୋଟି କ୍ଷତି ସହୁଛି। ଏମଏସଏମଇ ସେକ୍ଟର ପାଖରେ କିଣିବା ପାଇଁ ଅର୍ଡର ନାହିଁ। ରାଜସ୍ୱ ଶୂନକୁ ଖସି ଆସିଛି। ଯେଉଁଥିପାଇଁ ୧୧ କୋଟି ଚାକିରି ବିପଦରେ ରହିଛି ବୋଲି ସୋନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି।
ଏମଏସଏମଇ ସେକ୍ଟରକୁ ଉଦ୍ଧାର କରିବାକୁ ଯାଇ ସୋନିଆ ଗାନ୍ଧୀ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି। ସେ ସରକାରଙ୍କୁ କହିଛନ୍ତି ଯେ ଏମଏସଏମଇ କର୍ମଚାରୀଙ୍କ ଚାକିରି ସୁରକ୍ଷା ପାଇଁ ସରକାର ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ପ୍ରଥମେ ଘୋଷଣା କରାଯିବା ଦରକାର। ରିଜର୍ଭ ବ୍ୟାଙ୍କ ଏମଏସଏମଇ କମ୍ପାନୀ ମାନଙ୍କୁ ଋଣ ଯୋଗାଇ ଦେବା ଦରକାର। ଏହି ଶିଳ୍ପ ପାଇଁ ରିଜର୍ଭ ବ୍ୟାଙ୍କ ତିନି ମାସର ମୋରାଟୋରିୟମ ଅବଧି ବ୍ୟତୀତ ସରକାର ଟିକସ ଛାଡ କିମ୍ବା ଟିକସ ହ୍ରାସ ଉପରେ ବିଚାର କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ଏମଏସଏମଇ ଶିଳ୍ପରେ ପୂର୍ବରୁ ଥିବା ହାଇ କୋଲେଣ୍ଟ୍ରେଲ ସିକ୍ୟୁରିଟି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସୋନିଆ କହିଛନ୍ତି।
ଆହୁରି ପଢ଼ନ୍ତୁ
The problem with taking extreme measure without due consideration & planning is that the loss is not just monetary.
Much like demonetisation, the unplanned lockdown has cost India dearly. #1MonthLockdownWithoutPlan pic.twitter.com/fAegJLK6fm
— Congress (@INCIndia) April 25, 2020
ଅନ୍ୟପଟେ କଂଗ୍ରେସ ଟୁଇଟ୍ କରି ଲକଡାଉନକୁ ନୋଟବନ୍ଦୀ ସହିତ ତୁଳନା କରିଛି। ଯେଉଁଭଳି ନୋଟବନ୍ଦୀ ହଠାତ୍ ନିଷ୍ପତ୍ତି ନିଆଯାଇଛି ସେହିପରି ଲକଡାଉନ୍ ନିଷ୍ପତ୍ତି ବିନା ପରାମର୍ଶରେ ସରକାର ନେଇଛନ୍ତି ବୋଲି କଂଗ୍ରେସ କହିଛି। ବିନା ପ୍ରସ୍ତୁତିରେ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ ଆଜି ଏଭଳି ସ୍ଥିତି ଉପୁଜିଛି ବୋଲି କଂଗ୍ରେସ କହିଛି।
[ad_2]