ନେପାଳ ସଂସଦରେ ଭାରତର ଅଂଶ ଥିବା ନୂଆ ମ୍ୟାପ ପାସ୍


କାଠମାଣ୍ଡୁ: ନିମ୍ନ ସଦନ ପରେ ନେପାଳ ସଂସଦର ଉଚ୍ଚ ସଦନରେ ବି ସର୍ବସମ୍ମତିକ୍ରମେ ସରକାର ଆଣିଥିବା ସଂଶୋଧିତ ମ୍ୟାପ୍ ସଂକ୍ରାନ୍ତ ବିଲ ପାରିତ ହୋଇଛି। ଏବେ ଏହା ଆଇନରେ ପରିଣତ ହେବା ଏକ ପ୍ରକାର ନିଶ୍ଚିତ। ଭାରତର ୩ଟି ଅଂଶକୁ ନେପାଳ ଏହି ମ୍ୟାପ୍ରେ ନିଜର ବୋଲି ଦର୍ଶାଇଛି।
ନିମ୍ନ ସଦନରେ ଏହା ଯେତେବେଳେ ପାସ୍ ହୋଇଥିଲା ଏହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ତଥାପି ନେପାଳ ଏହାକୁ ବେଖାତିର କରି ଉଚ୍ଚ ସଦନରେ ନୂଆ ମ୍ୟାପକୁ ଅନୁମୋଦନ କରିଛି। ଆଜି ଉଚ୍ଚ ସଦରେ ୫୭ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ। ବିଲକୁ ସମସ୍ତେ ସମର୍ଥନ କରିଛନ୍ତି। ଶେଷରେ ସର୍ବସମ୍ମତିକ୍ରମେ ଏହା ଗୃହରେ ପାରିତ ହୋଇଛି।
ମେ’ ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ଧାରଚୁଲା ଠାରୁ ଲିପୁଲେଖ ପାସ୍ ଯାଏ ରାସ୍ତା କାମର ଉଦଘାଟନ କରିଥିଲେ। ତେବେ ଏହାକୁ ନେପାଳ ବିରୋଧ କରିଥିଲା। ଲିପୁଲେଖ ପାସ୍ର ଭାରତୀୟ ସୀମାରେ ଭାରତ ପକ୍ଷରୁ ରାସ୍ତା କାମ ହେଉଥିଲେ ହେଁ ଏହାକୁ ନେପାଳ ନିଜର ବୋଲି ଦାବି କରିଥିଲା।
ଆହୁରି ପଢ଼ନ୍ତୁ
ଏହାର ଗୋଟିଏ ଦିନ ପରେ ନେପାଳ ନୂଆ ମ୍ୟାପ ଜାରି କରିଥିଲା। ଯେଉଁଥିରେ ଲିପୁଲେଖ ପାସ, କଲାପାନୀ ଓ ଲିମପିୟାଧୁରାକୁ ନିଜର ବୋଲି ଦର୍ଶାଇଥିଲା।
ନେପାଳର ନିମ୍ନ ସଦନରେ ବିଲ ଆଗତ ବେଳେ ଏହାର ସପକ୍ଷରେ ୨୭୫ରୁ ୨୫୮ଟି ଭୋଟ ପଡ଼ିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ ବିରୋଧରେ କୌଣସି ସାଂସଦ ଭୋଟିଂ କରି ନଥଲେ। ଆଜି ବି ସମାନ ସ୍ଥିତି ଉପୁଜିଥିଲା।
ଗତ ମାସରେ ନୂଆ ମ୍ୟାପକୁ ନେପାଳ ସରକାର ସାର୍ବଜନୀନ କରିଥିଲେ। ଏଥିରେ ଉତ୍ତରାଖଣ୍ଡର ଲିପୁଲେଖ ପାସକୁ ନେପାଳ ନିଜର ବୋଲି ଦର୍ଶାଇଛି। ସେହିପରି ୧୮୧୬ ବ୍ରିଟିଶ ଚୁକ୍ତି ଅନୁଯାୟୀ, ଉତ୍ତରାଖଣ୍ଡରେ ଥିବା ଲିପୁଲେଖ ପାସ ନେପାଳର ବୋଲି ସେଠାକାର ସରକାର ଦାବି କରିଛନ୍ତି।
ଏହି ଅଞ୍ଚଳରେ ଭାରତ ଓ ନେପାଳ ପ୍ରାୟ ୧୮ଶହ କିମି ସୀମା ଶେୟାର କରିଛନ୍ତି। ସେହିପରି ୧୯୬୨ ଚାଇନା ଯୁଦ୍ଧ ପରଠାରୁ ଭାରତ ସରକାର ଲିମପିୟାଧୁରା ଓ କଲାପାନୀ ସୀମାନ୍ତକୁ ଜଗି ରହିଛି।