ନୂଆ ମ୍ୟାପ୍ ପ୍ରସଙ୍ଗରେ ପଛଘୁଞ୍ଚା ଦେଲା ନେପାଳ


ନୂଆଦିଲ୍ଲୀ: ଭାରତର କିଛି ଅଂଶକୁ ନିଜର ଦର୍ଶାଇ ନୂଆ ମ୍ୟାପ ପ୍ରସ୍ତୁତ କରିଥିବା ନେପାଳ ଏବେ ପଛଘୁଞ୍ଚା ଦେଇଛି। ନୂଆ ମ୍ୟାପ ଉପରେ ଆଜି ନେପାଳ ସଂସଦରେ ଆଲୋଚନା ହେବାର ଥିଲା। ଆଲୋଚନ ପରେ ସଂଶୋଧିତ ମ୍ୟାପ ପାରିତ ହୋଇଥାଆନ୍ତା। ହେଲେ ଏହାକୁ ଆଜି ଅଚାନକ ସ୍ଥଗିତ ରଖାଯାଇଛି। ଅର୍ଥାତ ଭାରତର ବିରୋଧ ଯୋଗୁ ସମ୍ଭବତଃ ନେପାଳ ଏହି ନିଷ୍ପତ୍ତିକୁ ଝୁଲାଇ ରଖିଥିବା କୁହାଯାଉଛି।
ଗତ ସପ୍ତାହରେ ନେପାଳ ସରକାରଙ୍କ ପକ୍ଷରୁ ସଂଶୋଧିତ ମ୍ୟାପ ଜାରି କରାଯାଇଥିଲା। ଏଥିରେ ଲିମପିୟାଧୁରା, ଲିପୁଲେଖ ଓ କଲାପାନୀକୁ ନେପାଳ ତା’ର ମାନଚିତ୍ରରେ ନିଜର ବୋଲି ଦର୍ଶାଇଥିଲା। ତେବେ ନେପାଳର ଏହି ମିଛ ଦାବିକୁ ଭାରତ କେବେ ହେଲେ ଗ୍ରହଣ କରିବ ନାହିଁ ଏବଂ ଉପରୋକ୍ତ ୩ ଅଞ୍ଚର ଆମର ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ନେପାଳ ସରକାର ଯେଉଁଭଳି ଭାବେ ମାନଚିତ୍ର ପ୍ରକାଶ କରିଛନ୍ତି, ସେଥିରେ କୌଣସି ବାସ୍ତବତା ନାହିଁ। ଏହି ମାନଚିତ୍ର କୌଣସି ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଉପରେ ଆଧାରିତ ନୁହେଁ। ସୀମା ବିବାଦର ସମାଧାନ ପାଇଁ ହୋଇଥିବା ନିମୟକୁ ନେପାଳ ସରକାର ଉଲ୍ଲଙ୍ଘନ କରିଛନ୍ତି।
ଆହୁରି ପଢ଼ନ୍ତୁ
ଭାରତ ସହ ସୀମାକୁ ନେଇ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିନାହାନ୍ତି। ଲିମପିୟାଧୁରା, ଲିପୁଲେଖ ଓ କଲାପାନୀକୁ ନେଇ ଭାରତର ସ୍ଥିତି କ’ଣ ସେକଥା ନେପାଳ ଭଲ ଭାବେ ଜାଣିଛି। ତେଣୁ ଆମେ ନେପାଳକୁ ଏଭଳି ଅବାସ୍ତବ କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଉଛୁ।
୧୮୧୬ ବ୍ରିଟିଶ ଚୁକ୍ତି ଅନୁଯାୟୀ, ଉତ୍ତରାଖଣ୍ଡରେ ଥିବା ଲିପୁଲେଖ ପାସ ନେପାଳର ବୋଲି ସେଠାକାର ସରକାର ଦାବି କରିଛନ୍ତି। ଏହି ଅଞ୍ଚଳରେ ଭାରତ ଓ ନେପାଳ ପ୍ରାୟ ୧୮ଶହ କିମି ସୀମା ଶେୟାର କରିଛନ୍ତି। ସେହିପରି ୧୯୬୨ ଚାଇନା ଯୁଦ୍ଧ ପରଠାରୁ ଭାରତ ସରକାର ଲିମପିୟାଧୁରା ଓ କଲାପାନୀ ସୀମାନ୍ତକୁ ଜଗି ରହିଛି।
ମେ’ ୮ରେ କୈଳାସ ମାନସୋରଭରକୁ ସଂଯୋଗ କରୁଥିବା ଲିପୁଲେଖ ପାସରେ ଭାରତ ସରକାର ରାସ୍ତା କାମ ଆରମ୍ଭ କରିଥିଲେ। ହେଲେ ଏହାକୁ ନେପାଳ ବିରୋଧ କରିଥିଲା। ଏହାଦ୍ୱାରା ନେପାଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି କାଠମାଣ୍ଡୁ ପକ୍ଷରୁ କୁହାଯାଇଛି।