ଦୟନୀୟ କ୍ୟାପିଟାଲ୍ ମାର୍କେଟ୍, ପାର୍କିଂ ସମସ୍ୟା ଦୂର ହେଉନି

ସତ୍ୟଶିଖା (ଭୁବନେଶ୍ୱର) ୨୮/୧୨/୨୦୨୦ : ରାତି ପାହିଲେ ରାଜଧାନୀର ପ୍ରମୁଖ ବଜାରରେ ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ଜମେ । ଦୈନିକ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲେ। ତେବେ ସିଟି ସିନା ସ୍ମାର୍ଟ ହେଲା, ଏଠି କିନ୍ତୁ ବଜାର ସ୍ମାର୍ଟ ହୋଇପାରୁନାହିଁ। କେଉଁଠି ପରିମଳ ବିଗିଡ଼ି ଗଲାଣି ତ କେଉଁଠି ସୌନ୍ଦର୍ଯ୍ୟୀକରଣ ଉଜୁଡ଼ି ଗଲାଣି । କେଉଁଠି ମାର୍କେଟ୍ର ପୁରୁଣା ଦୋକାନ ଘର ଭାଙ୍ଗିରୁଜି ଗଲାଣି ତ କେଉଁଠି ମାର୍କେଟ୍ର ଖୋଲା ସ୍ଥାନ ନିଶାସକ୍ତ ବ୍ୟକ୍ତିଙ୍କ ଆଡ଼ା ପାଲଟିଲାଣି । ପାର୍କ କଥା ଚିନ୍ତା କଲେ ତ ମୁଣ୍ଡ ଘୂରାଇ ଦେଉଛି । ସ୍ମାର୍ଟସିଟିର ବାବୁମାନେ ସହର ପାଇଁ ଏତେ ସ୍ମାର୍ଟ କଥା ଚିନ୍ତା କରୁଛନ୍ତି, କିନ୍ତୁ ପାର୍କିଂ ଭିଡ଼ ଏଡ଼ାଇବାକୁ ଦୀର୍ଘବର୍ଷ ହେଲା ସମାଧାନଟିଏ ବାହାର କରିପାରୁନାହାନ୍ତି । ମାର୍କେଟ୍କୁ ସୁସଂଗଠିତ କରିବା ପାଇଁ ପରିସରରେ ବସୁଥିବା ଅସ୍ଥାୟୀ ବ୍ୟବସାୟୀଙ୍କୁ ହଟାଯାଉଛି । ହେଲେ ଥଇଥାନ କରାଯାଉ ନଥିବାରୁ ସେମାନେ ପୁଣି ଆସି ଆସ୍ଥାନ ଜମାଉଛନ୍ତି । ରାଜଧାନୀରେ ବସବାସ କରୁଥିବା ଲୋକଙ୍କର ସିନା ଏ ଅବ୍ୟବସ୍ଥା ଦେହସୁହା ହୋଇଗଲାଣି, କିନ୍ତୁ ବାହାରୁ ଆସୁଥିବା ଲୋକଙ୍କ ମନରେ ଏବେ ବି ପ୍ରଶ୍ନ ଇଏ କ’ଣ ସ୍ମାର୍ଟସିଟିର ବଜାର?
ପାର୍କିଂ ସମସ୍ୟା ଦୂର ହେଉନି
ରାଜଧାନୀର ପ୍ରମୁଖ ବଜାର ୧ ନମ୍ବର ମାର୍କେଟ୍ର ପ୍ରମୁଖ ସମସ୍ୟା ପାର୍କିଂ । ଦୈନିକ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ପାର୍କିଂସ୍ଥଳ ସମୁଦ୍ରକୁ ଶଙ୍ଖେ ସଦୃଶ । ଫଳରେ ଗାଡ଼ି ନେଇ ଯାଉଥିବା ଲୋକକୁ ପାର୍କିଂ ପାଇଁ ଦହଗଞ୍ଜ ହେବାକୁ ପଡ଼ୁଛି । ବିଏମ୍ସି ପକ୍ଷରୁ ଗାଡ଼ି ରଖିବା ପାଇଁ ରାସ୍ତା କଡ଼ରେ ଯେଉଁ ଜାଗା ଦିଆଯାଇଥିଲା, ସେଥିରେ ବର୍ତ୍ତମାନ କେବଳ କାର୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ଫଳରେ ୧୫୦୦ ଦୋକାନୀଙ୍କ ସମେତ କର୍ମଚାରୀ ଓ ଗ୍ରାହକ ଗାଡ଼ି ପାର୍କିଂରେ ସ୍ଥାନାଭାବର ଘୋର ସମସ୍ୟା ଦେଖାଦେଇଛି । ହାଟର ପରିମଳ ବ୍ୟବସ୍ଥା ଆହୁରି ଦୟନୀୟ । ଉଠାଦୋକାନୀ ଉଚ୍ଛେଦ ହେଉ ନଥିବାରୁ ଡ୍ରେନ୍ରେ ପାଣି ନିଷ୍କାସନ ହୋଇପାରୁନାହିଁ । ବର୍ଷା ଦିନେ ଅର୍ଦ୍ଧାଧିକ ଦିନ ହାଟ ରାସ୍ତା କାଦୁଅ ପଚପଚ ରହୁଛି । ହାଟରେ ଥିବା ୧୫ଶହ ଦୋକାନୀଙ୍କୁ ବିଏମ୍ସି ପକ୍ଷରୁ ଗୋଟିଏ ମାତ୍ର ଶୌଚାଳୟ ଯୋଗାଇ ଦିଆଯାଇଛି । ମାତ୍ର ଶୌଚାଳୟର ଟାଙ୍କି ଫାଟି ଯାଇଥିବା ବେଳେ ଭିତର ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ହାଟର ଏହି ୨ ସମସ୍ୟାକୁ ନେଇ ହାଟ ସଂଘର ସଭାପତି ଗୟାଧର ସ୍ବାଇଁ ବିଏମ୍ସିକୁ ଅନେକଥର ଚିଠି ଲେଖିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ କହିଛନ୍ତି ।
କବ୍ଜାରେ ୨ନମ୍ବର ମାର୍କେଟ୍
ମାର୍କେଟ୍ ବିଲ୍ଡିଂକୁ ସୁବ୍ୟବସ୍ଥିତ କରିବା ପାଇଁ କିଛି ବର୍ଷ ତଳୁ ଅସ୍ଥାୟୀ ବ୍ୟବସାୟୀଙ୍କୁ ପରିସରରୁ ହଟା ଯାଇଥିଲା । ବିଏମ୍ସି ଓ କମିସନରେଟ୍ ପୁଲିସର ମିଳିତ ଅଭିଯାନ ପରେ ମାର୍କେଟ୍ରୁ ବିହାରୀ ବ୍ୟବସାୟୀମାନେ ହଟିଥିଲେ । କରୋନା ପର୍ଯ୍ୟନ୍ତ କେହି ମାର୍କେଟ୍ ପରିସର ଭିତରକୁ ପ୍ରବେଶ କରୁନଥିଲେ । ମାତ୍ର କରୋନା ସମୟରେ ଯେବେ ବ୍ୟବସାୟ ଅନୁମତି ମିଳିଲା, ଅସ୍ଥାୟୀ ବ୍ୟବସାୟୀମାନେ ପୁଣି ପରିସରରେ ବିକ୍ରିବଟା ଆରମ୍ଭ କଲେ । ସେତେବେଳେ କରୋନାର ତାଡ଼ନା ଯୋଗୁଁ କେହି ମୁହଁ ଖୋଲିଲେନି । ହେଲେ ଏବେ ସଂଖ୍ୟା ବଢ଼ି ପୁଣି ୨ ଶହ ଅତିକ୍ରମ କରିଗଲାଣି । ଫଳରେ ମାର୍କେଟ୍ ମଧ୍ୟରେ ଥିବା ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି । ସେଣ୍ଟ୍ରାଲ୍ ମାର୍କେଟ୍ ଆସୋସିଏସନ୍ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି, ମାର୍କେଟ୍ ପରିସରରେ ୨ଶହ ସ୍ଥାୟୀ ଦୋକାନ ରହିଛି । ମାତ୍ର ପୁଣି ପରିସରରେ ଭିଡ଼ ଜମିଲାଣି । ଏନେଇ ବାରମ୍ବାର କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କ ତରଫରୁ ଏହି ପରିସର ଖାଲି କରିବା ପାଇଁ କୌଣସି ସହାୟତା ମିଳୁନାହିଁ । ଆସୋସିଏସନ୍ର ସହ ସମ୍ପାଦକ ରଂଜିତ କୁମାର ମହାନ୍ତି କହିଛନ୍ତି, ମାର୍କେଟ୍ ବାହାରେ ଥିବା ପାର୍କିଂ ଅଞ୍ଚଳକୁ ବି କିଛି ଅସ୍ଥାୟୀ ବ୍ୟବସାୟୀ ମାଡ଼ି ଆସିଲେଣି । ବହୁ ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଥିବାରୁ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ମଧ୍ୟ ଲୋକେ ଆସନ୍ତି । ମାତ୍ର ମାର୍କେଟ୍ ପରିସର ପୁଣି ଅସ୍ଥାୟୀ ବ୍ୟବସାୟୀଙ୍କ ଅକ୍ତିଆରକୁ ଚାଲିଗଲାଣି । ଏହା ବ୍ୟତୀତ ମାର୍କେଟ୍ ପରିସରର ସୌନ୍ଦର୍ଯ୍ୟ ତଥା ସାଜସଜା ଲାଇଟ୍, ଫାଉଣ୍ଟେନ୍ ଭାଙ୍ଗରୁଜି ଗଲାଣି ।
ଏବେ ବି ୪ ନଂ ମାର୍କେଟ୍କୁ ଫେରିପାରିନାହାନ୍ତି ୫ଶହ ବ୍ୟବସାୟୀ
ଆୟତନ ଦୃଷ୍ଟିରୁ ୪ ନମ୍ବର ମାର୍କେଟ୍ ବଡ଼। ୧୦ ଏକର ପରିମିତ ଅଞ୍ଚଳରେ ଛିଡ଼ା ହୋଇଥିବା ମାର୍କେଟ୍ରେ ୩ହଜାରରୁ ଊର୍ଧ୍ବ ବ୍ୟବସାୟୀ ବ୍ୟବସାୟ କରନ୍ତି । ମାତ୍ର ଏବେ ବି ମାର୍କେଟ୍ ଚତୁଃପାର୍ଶ୍ବରେ ପାଚେରି ନଥିବାରୁ ଚୋରି ହେଉଛି । ଏତେ ବଡ଼ ମାର୍କେଟ୍ ହୋଇଥିବା ବେଳେ ୨ଟି ଜାଗାରେ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି । ହେଲେ କ୍ଷତିକୁ ଦୃଷ୍ଟିରେ ରଖି କେହି ଟେଣ୍ଡର୍ ନେଉ ନାହାନ୍ତି । ଫଳରେ ଅନେକ ମାର୍କେଟ୍ ମଧ୍ୟକୁ ଗାଡ଼ି ନେଇ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି । ଏହା ବ୍ୟବସାୟୀଙ୍କ ସମେତ ବଜାରକୁ ଯାଉଥିବା ଲୋକଙ୍କୁ ନାକେଦମ୍ କରୁଛି । ରାଜଧାନୀର ସବୁଠୁ ବଡ଼ ଆମିଷ ହାଟ ହୋଇଥିବାରୁ ଏଠାରେ ରବିବାର, ବୁଧବାର ଓ ଶୁକ୍ରବାର ପ୍ରବଳ ଭିଡ଼ ଜମେ । ତେବେ ଏଠାରେ ଶୌଚାଳୟ ଓ ପରିସ୍ରାଗାରଗୁଡ଼ିକ ଅବରୋଧ ହୋଇରହିଛି । ଭୌମନଗର ହାଟ ବ୍ୟବସାୟୀ ସଂଘର ସମ୍ପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି, ୮ ମାସ ହେଲା ୪ ନମ୍ବର ମାର୍କେଟ୍ର ୫ଶହ ମାଛ ଓ ପରିବା ବ୍ୟବସାୟୀ ରେଡ୍କ୍ରସ ସମ୍ମୁଖରେ ବସୁଥିବା ବେଳେ ସେମାନଙ୍କୁ ମାର୍କେଟ୍ ଭିତରକୁ ଆଣିବା ପାଇଁ ବନ୍ଦୋବସ୍ତ କରାଯାଇଛି ।
ଆଇଡି ମାର୍କେଟ୍ରେ ପରିମଳ ବ୍ୟବସ୍ଥା ଠପ୍
ଇନ୍ଦ୍ରଧନୁ ମାର୍କେଟ୍ର ପରିମଳ ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ବିଏମ୍ସି ପକ୍ଷରୁ ସଫେଇ ପାଇଁ ନିୟୋଜିତ ସଂସ୍ଥା ରାମ୍କି କମ୍ପ୍ଲେକ୍ସ ପରିସରରୁ ୩ଦିନରେ ଥରେ ଅଳିଆ ଉଠାଉଛି । ଅଳିଆ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇ ରହୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । କମ୍ପ୍ଲେକ୍ସ କରିଡର୍ ଉପର ମହଲାରେ ଥରେ ବି ଝାଡ଼ୁ ମରା ଯାଉନାହିଁ । ମାର୍କେଟ୍ କମ୍ପ୍ଲେକ୍ସ ଏବଂ ଚାରି ପାଖରେ ୧୨ ଶହରୁ ଅଧିକ ବ୍ୟବସାୟୀ ବେପାର କରୁଛନ୍ତି । ହେଲେ ମାର୍କେଟ୍ ପାଇଁ ମାତ୍ର ଗୋଟିଏ ଶୌଚାଳୟ ରହିଛି । ଫଳରେ ଅନେକ ବାହାରେ ପରିସ୍ରା କରୁଥିବାରୁ ଦୁର୍ଗନ୍ଧ ହେଉଛି । ମାର୍କେଟ୍ ପରିସରରେ ଥିବା ମୁଖ୍ୟ ଡ୍ରେନ୍ ପୋତି ହୋଇଯାଇଛି । ଇନ୍ଦ୍ରଧନୁ ମାର୍କେଟ୍ ବିଜନେସ୍ ଡେଭଲପମେଣ୍ଟ ଆସୋସିଏସନ୍ର ସମ୍ପାଦକ ପ୍ରଦୀପ କୁମାର ସାହୁ କହିଛନ୍ତି, ଡ୍ରେନ୍ଗୁଡ଼ିକ ୩୦ବର୍ଷ ତଳର ହୋଇଥିବା ବେଳେ ସେଗୁଡ଼ିକ ଜବରଦଖଲରେ ରହିଛି । ଏନେଇ ଅଭିଯୋଗ କଲେ ବି ବିଏମ୍ସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ମାର୍କେଟ୍ କମ୍ପ୍ଲେକ୍ସ ସ୍ଥିତି ଦୟନୀୟ ହୋଇପଡ଼ିଥିବାରୁ କେତେବେଳେ ଭୁଶୁଡ଼ି ପଡ଼ିବ, କହି ହେବ ନାହିଁ ବୋଲି ସେ କହିଛନ୍ତି । ଇନ୍ଦ୍ରଧନୁ ମାର୍କେଟ୍ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଅଞ୍ଜନ ନାଥ କହିଛନ୍ତି, ମାର୍କେଟ୍ରେ ଥିବା ସ୍ବେରେଜ୍ ଲାଇନ୍ କାମ ହେଉନଥିବାରୁ ବର୍ଜ୍ୟ ପାଣି ବାହାରି ରାସ୍ତାରେ ଭାସୁଛି । ମାତ୍ର ଏହାକୁ ବର୍ଷ ବର୍ଷ ଧରି ସଜଡ଼ା ଯାଉନାହିଁ ।