ଧୋନିଙ୍କ ସ୍ଥାନରେ ଋଷଭଙ୍କୁ ପ୍ରସ୍ତୁତ କରାଯାଉଥିଲା, ହେଲେ ଏବେ ସେ ପାଣି ବୋହୁଛନ୍ତି: ନେହେରା


ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କୋର ଗ୍ରୁପ୍ ଉପରେ ବର୍ଷିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶିଷ ନେହେରା। କୋର ଗ୍ରୁପ୍ର ଅବହେଳା ପାଇଁ ଟିମ ଇଣ୍ଡିଆ ଏବେ ବି ପୂର୍ବରୁ ଥିବା ମହାନ ଅଷ୍ଟ୍ରେଲିଆନ ଟିମ୍ ଠାରୁ ବହୁ ଦୂରରେ ରହିଛି।
ଟିମ ମ୍ୟାନେଜମେଣ୍ଟ କେବେ ହେଲେ ଦ୍ୱନ୍ଦ୍ୱରେ ରହିବା କଥା ନୁହେଁ। ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ବିଶ୍ୱାସକୁ ନେବା ସହ ତାଙ୍କୁ କିଛି ସମୟ ସହଯୋଗ କରିବା ଦରକାର ବୋଲି ନେହେରା କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ନେହେରା କହିଛନ୍ତି, “ବର୍ତ୍ତମାନ ଭାରତୀୟ ଟିମ୍ ଅଷ୍ଟ୍ରେଲିଆନ ଟିମ୍ ଠାରୁ ବହୁ ପଛରେ। ଲଗାତର ୩ଥର ବିଶ୍ୱକପ ଜିତିଥିବା, ୧୯୯୬ରେ ବିଶ୍ୱକପ ଫାଇନାଲ ଖେଳିଥିବା ଓ ୧୮ରୁ ୧୯ଟି ଟେଷ୍ଟ ମ୍ୟାଚ୍ କ୍ରମାଗତ ଭାବେ ଜିତିଥିବା ଅଷ୍ଟ୍ରେଲିଆ ଟିମ୍ କଥା କହୁଛୁ।
ଏବେ ଟିମ୍ ଇଣ୍ଡିଆରେ ଯେମିତି ଚାଲିଛି, ମୋତେ ଲାଗୁଛି ଏହି ଦଳ କେବେ ହେଲେ ସେତେବେଳର ଅଷ୍ଟ୍ରେଲିଆ ଟିମ୍ର ସମକକ୍ଷ ହୋଇପାରିବ ନାହିଁ। କିନ୍ତୁ ମୋ ମତରେ ଦଳର କୋର ଗ୍ରୁପର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି ଟେବୁଲ ଉପରେ ଏକାଧିକ ଖାଇବା ଆଇଟମ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯାଏ।
ଆହୁରି ପଢ଼ନ୍ତୁ
ତେବେ ତା’କୁ ଭଲ ଆଇଟମ ବାଛିବାକୁ ପଡ଼ିବ। ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦଳରେ ଅନେକ ଦକ୍ଷ ଖେଳାଳି ଅଛନ୍ତି। ହେଲେ ସେମାନଙ୍କୁ ଦୀର୍ଘ ସମୟ ଧରି ସୁଯୋଗ ଦେବାକୁ ପଡ଼ିବ। ଏବେ ବି ଆମେ ଟିମ ଇଣ୍ଡିଆର ନମ୍ବର ୫ ଓ ୬ ସ୍ଲଟକୁ ନେଇ ଆଲୋଚନା କରୁଛେ। ଏହାର ଅର୍ଥ କିଏ ଏହି ନମ୍ବରରେ ବ୍ୟାଟିଂ କରିବ କେହି ବି ଜାଣିନାହାନ୍ତି।
କେତେବେଳେ ରାହୁଲ ୫ନଂରେ ଖେଳୁଛନ୍ତି ତ ଆଉ କେତେବେଳେ ଋଷଭ ପନ୍ତ। ଆମେ କହୁଥିଲୁ ଯେ ଧୋନିଙ୍କ ବିକଳ୍ପ ଭାବେ ପନ୍ତଙ୍କୁ ପ୍ରସ୍ତୁତ କରାଯାଉଛି। ହେଲେ ଏବେ ସେ ପଡ଼ିଆରେ କେବଳ ପାଣି ଦେଉଛନ୍ତି। ମୁଁ ଜାଣିଛି ତାଙ୍କୁ ମିଳିଥିବା ସୁଯୋଗ ସେ ହାତ ଛଡ଼ା କରିଛନ୍ତି। କିନ୍ତୁ ୨୨/୨୩ ବର୍ଷୀୟ ଖେଳାଳିଙ୍କୁ ଆପଣ ଟିମ୍ରେ ତାଙ୍କ ଦକ୍ଷତା ଦେଖି ରଖିଛନ୍ତି। ଏହାର ଉପଯୋଗ ତ କରିବାକୁ ପଡ଼ିବ।”
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ସିରିଜ ହାରିବା ପରେ ଦିନିକିଆ ମ୍ୟାଚ୍ ଚଳିତ ବର୍ଷ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଦେଇଥିବା ବୟାନ ଉପରେ ମଧ୍ୟ ନେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଯଦି ଆପଣ ସିରିଜ୍ ଜିତି ଏପରି କହିଥାଆନ୍ତେ, ତା’ହେଲେ ଏହାକୁ ଅନ୍ୟ ଭିନ୍ନ ଢଙ୍ଗରେ ନିଆଯାଇଥାଆନ୍ତା।
ଚଳିତ ବର୍ଷ ଟି-୨୦ର ବର୍ଷ ବୋଲି କହିବା ଭୁଲ। ଏହାର ଅର୍ଥ ଆପଣ ୫୦ ଓଭର ବିଶିଷ୍ଟ ମ୍ୟାଚ୍କୁ ଖାତିର କରୁନାହାନ୍ତି। ଯଦି ଦିନିକିଆ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତା’ହେଲେ ଆପଣ ପଡ଼ିଆକୁ କାହିଁକି ଖେଳିବାକୁ ଆସୁଛନ୍ତି? ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ଜିତିବାକୁ ଭାରତୀୟ ଦଳ ଆଦୌ ଚେଷ୍ଟା କରି ନଥିବା ଆପଣ ଏଠାରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ମୁଁ ବିରାଟଙ୍କ କଥାରେ ଆଦୌ ଏକମତ ନୁହେଁ।”