ଧୋନିଙ୍କୁ ଅଭଦ୍ର ବ୍ୟବହାର କରିଥିବା ନେହେରା ଏବେ ଅନୁତପ୍ତ, ଦେଖନ୍ତୁ ସେହି ଭିଡିଓ


ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏମିତି ଅନେକ ଭିଡିଓ ରହିଛି ଯେଉଁଥିରେ କ୍ରିକେଟରମାନେ ପରସ୍ପରକୁ ସ୍ଲେଜିଂ କରୁଥିବାର ଦୃଶ୍ୟ ରହିଛି। ଏହି ଭିଡିଓ ଲୋକମାନେ ବାରମ୍ବାର ମଧ୍ୟ ଦେଖନ୍ତି। ଏହା ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଆଶିଷ ନେହେରାଙ୍କ ଏକ ଭିଡିଓ ରହିଛି। ଯେଉଁଥିରେ ସେ ଧୋନିଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।
୨୦୦୫ ପାକିସ୍ତାନ ବିପକ୍ଷ ଏକ ମ୍ୟାଚରେ ୱିକେଟ କିପିଂ କରିଥିବା ମହେନ୍ଦ୍ର ସିଂହ ଧୋନି କ୍ୟାଚ୍ ଛାଡ଼ିବାରୁ ନେହେରା ତାଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ଗାଳି କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକରେ ଏହା ରେକର୍ଡ ମଧ୍ୟ ହୋଇଥିଲା। ନେହେରା ଏହି ଘଟଣାକୁ ମନେପକାଇ ଅନୁତପ୍ତ ଥିବା ମଧ୍ୟ କହିଛନ୍ତି।
ଧୋନିଙ୍କ କ୍ରିକେଟରର କ୍ୟାରିୟରର ସେତେବେଳେ ଆରମ୍ଭ ହୋଇଥିଲା। ହେଲେ ସମୟକ୍ରମେ ସେ ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ହେବା ସହ ୱିକେଟ କିପିଂରେ ମଧ୍ୟ ଏକ ନୂଆ ଇତିହାସ ରଚିଛନ୍ତି।
ଉକ୍ତ ମ୍ୟାଚ୍ର ୪ର୍ଥ ଓଭରରେ ଏହି ଘଟଣା ଘଟିଥିଲା। ପାକିସ୍ତାନ ଓପନର ଶାହିଦ ଆଫ୍ରିଦି ୧୦ ରନ୍ କରିଥିବା ବେଳେ ନେହେରାଙ୍କ ବଲରେ ତାଙ୍କ କ୍ୟାଚ୍ ଉଠିଥିଲା। ହେଲେ ଏହାକୁ ଧୋନି ମିସ୍ କରିଦେଇଥିଲେ। ଏହାକୁ ନେଇ ନେହେରା ଭୀଷଣ ରାଗି ଯାଇଥିଲେ। ଧୋନି ଓ ପ୍ରଥମ ସ୍ଲିପରେ ଥିବା ରାହୁଲ ଡ୍ରାଭିଡ୍ଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ।
ଆହୁରି ପଢ଼ନ୍ତୁ
ନିକଟରେ ନେହେରା କହିଛନ୍ତି, “ଉକ୍ତ ମ୍ୟାଚ୍ରେ ଆଫ୍ରିଦିଙ୍କ ବ୍ୟାଟରେ ବଲ ମାଡ଼ ହୋଇ ଧୋନି ଓ ଡ୍ରାଭିଡ୍ ମଧ୍ୟରେ ଚାଲି ଯାଇଥିଲା। ଏହାକୁ ନେଇ ରାଗି ଯାଇଥିଲି। ଧୋନିଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲି। ଏହାର ଭିଡିଓ ଭାଇରାଲ ହୋଇଥିଲେ। ସମସ୍ତେ ଭାବିଥିଲେ ଏହା ବିଶାଖାପଟନମର ମ୍ୟାଚ୍ ବେଳର ଘଟଣା।
https://www.youtube.com/watch?v=asP7XZUPqOA
ବାସ୍ତବରେ ଏହା ଅହମଦାବାଦରେ ହୋଇଥିବା ୪ର୍ଥ ଦିନିକିଆର ଦୃଶ୍ୟ। ସେଦିନ ମୁଁ ଯେଉଁ ଭଳି ବ୍ୟବହାର କରିଥିଲି, ତାହା ଆଦୌ ଠିକ ନଥିଲା। ମୋ ବ୍ୟବହାରରେ ସଂଯମତା ଦରକାର ଥିଲା। ତେବେ କ୍ୟାଚ୍ ହାତ ଛଡ଼ା କରିବା ପୂର୍ବ ବଲରେ ଆଫ୍ରିଦି ମୋତେ ଛକା ମାରିଥିଲେ। ସେହିପରି ଭାରତ-ପାକିସ୍ତାନ ମ୍ୟାଚ୍ ଥିବାରୁ ଆମେ ଅତିରିକ୍ତ ଚାପରେ ଥିଲୁ। ମୁଁ ସୁଯୋଗ ସୃଷ୍ଟି କରିଥିଲି। ହେଲେ ଏହା ମିସ ହେବାରୁ ମୁଁ ରାଗି ଯାଇଥିଲି। ମ୍ୟାଚ୍ ପରେ ଧୋନି ଓ ଡ୍ରାଭିଡ୍ ମୋ ସହ ଭଲ ବ୍ୟବହାର କରିଥିଲେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ ଯାହା କରିଥିଲି, ତାହା ଠିକ୍।”
ଏହି ମ୍ୟାଚ୍ରେ ଆଫ୍ରିଦି ୨୩ ବଲରେ ୪୦ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ବଳରେ ପାକିସ୍ତାନ ୩୧୬ ରନ୍ର ଟାର୍ଗେଟକୁ ୩ଟି ୱିକେଟ ପୂର୍ବରୁ ହାସଲ କରି ନେଇଥିଲା।