

ସତ୍ୟଶିଖା( ସାକ୍ଷୀଗୋପାଳ )୨୦.୧୦.୨୦୨୨: ଆସନ୍ତା ନଭେମ୍ବର ୨ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ଅବସରରେ ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ ହେବ। ଏହା ସହିତ ଶ୍ରୀଶ୍ରୀ ଗୋପାଳଜିଉ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଥିବାରୁ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସେହିପରି ୪ ତାରିଖ ପବିତ୍ର ବଡ଼ ଏକାଦଶୀ ଅବସରରେ ଠାକୁର ଶ୍ରୀଶ୍ରୀ ଗୋପାଳଜିଉ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀନାରାୟଣ ବେଶ ଓ ମନ୍ଦିରରେ ପ୍ରସିଦ୍ଧ ଚୁଡ଼ାଘସା ଭୋଗ ହେବ। ବୁଧବାର ଅପରାହ୍ଣରେ ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ପରିସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ବର୍ଷର ବ୍ୟବଧାନ ପରେ ପ୍ରଶାସନ ତରଫରୁ ନିର୍ମିତ ବ୍ୟାରିକେଡ୍ ମଧ୍ୟରେ ଧାଡ଼ିରେ ଯାଇ ଭକ୍ତମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ।
ବୈଠକରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲୋଚନ ଦାସ, ପିପିଲି ଏସ୍ଡିଓ ଦେବଦତ୍ତ ବରାଳ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।