ରାଜନୀତି

ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପାଇଁ ସରକାରଙ୍କ ଦରଦ ନାହିଁ: ନିରଞ୍ଜନ

ଭୁବନେଶ୍ୱର(ସତ୍ୟଶିଖା): ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କର କୌଣସି ଦରଦ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଆଜି ଗଣମାଧ୍ୟମକୁ ଜାରି ଏକ ପ୍ରେସ୍ ରିଲିଜରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କ ଆନ୍ତରିକତା ନାହିଁ। ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟ ବାହାରୁ ଫେରାଇ ଆଣିବା ନିମନ୍ତେ କଂଗ୍ରେସ ନିଜ ସ୍ତରରେ ଉଦ୍ୟମ କରୁଥିଲେ ମଧ୍ୟ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ପ୍ରତ୍ୟେକ ରାଜ୍ୟ କଂଗ୍ରେସ ସଭାପତିମାନେ ନିଜ ରାଜ୍ୟର ଶ୍ରମିକ ଭାଇଭଉଣୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସମସ୍ତ ରେଳଭଡ଼ା ଖର୍ଚ୍ଚ ବହନ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିର୍ଦ୍ଦେଶ ଦେଇଥିଲେ। ତାକୁ ପାଳନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକମାନଙ୍କ ପାଇଁ ଏକ ହେଲପ ଲାଇନ ନମ୍ବର ଜାରି କରିଥିଲେ। ଏହି ହେଲପ ଲାଇନ୍ ନମ୍ବର ମାଧ୍ୟମରେ ଶହ ଶହ ଓଡ଼ିଆ ଶ୍ରମିକମାନେ ଘରକୁ ଫେରିବା ନିମନ୍ତେ ଯୋଗାଯୋଗ କରିଛନ୍ତି। ସେହି ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରା ମେ’ ୧୪ତାରିଖରେ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଚିଠି ପଠାଇଥିଲେ। ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ଖର୍ଚ୍ଚ ଆମେ ବହନ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲୁ। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆଶା ରଖିଥିଲୁ । କିନ୍ତୁ ଚିଠିର ୫ଦିନ ପରେ ମଧ୍ୟ ରାଜ୍ୟ ସରକାର କୌଣସି ଉତ୍ତର ଦେଲେ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ରାଜ୍ୟ ସରକାର କେତେ ତତ୍ପର ଅଛନ୍ତି। ରାଜ୍ୟ ସରକାରଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ କଂଗ୍ରେସ ନିନ୍ଦା କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

[ad_2]
Show More
Back to top button