ଦୁର୍ନୀତିରେ ବୁଡ଼ି ରହିଛି ଔଷଧ ନିଗମ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ


ଭୁବନେଶ୍ୱର(ସତ୍ୟଶିଖା): ଦୁର୍ନୀତି ଓ ସାଂଘାତିକ କେଳେଙ୍କାରୀରେ ଓଡ଼ିଶା ଔଷଧ ନିଗମ ବୁଡ଼ି ରହିଛି। କରୋନା ମୁକାବିଲା ପାଇଁ ଔଷଧ ନିଗମ ମାଧ୍ୟମରେ ଯେଉର୍ସବୁ ସାମଗ୍ରୀ କିଣା ଯାଇଛି ସେଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। କରୋନା ସାମଗ୍ରୀ କିଣା କମିଟିର ଅଧ୍ୟକ୍ଷ ପଦବୀରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ କେବଳ ଅପସାରଣ କରିଦେଲେ ହେବନି, ତାଙ୍କ ସମେତ ଦୁର୍ନୀତିରେ ଲିପ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ କଂଗ୍ରେସ ଦାବି କରିଛି।
ପିସିସି ନେତା ସୁଦର୍ଶନ ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାର କରୋନା ମୁକାବିଲା ପାଇଁ ଓଡ଼ିଶା ଔଷଧ ନିଗମ ମାଧ୍ୟମରେ ଯେଉଁ ଜିନିଷ ଯଥା-ଟେଷ୍ଟିଂ କିଟ୍, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସବୁ କିଣିଛନ୍ତି ସେଥିରେ ସାଂଘାତିକ କେଳେଙ୍କାରୀ ରହିଛି। ପୂର୍ବରୁ ମାସ୍କ କିଣିବା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରିକି ଏପ୍ରିଲ ୨୮ତାରିଖରେ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ହେମନ୍ତ ଶର୍ମା ନିଜେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ଲାକ୍ ଚେକ୍ ଦେଇ ଜିନିଷ ପତ୍ର କିଣିବା ଦାୟିତ୍ୱ ଦେଇଛନ୍ତି। ଶ୍ରୀ ଶର୍ମାଙ୍କ ଏହି ବୟାନକୁ ଉକ୍ତଦିନ କଂଗ୍ରେସ ନିନ୍ଦା କରିବା ସହ ଏହା ଦୁର୍ନୀତି ଓ କେଳେଙ୍କାରୀର ବାଟ ଫିଟାଇଲା ବୋଲି କହିଥିଲୁ। ଏବେ ଏହି ଦୁର୍ନୀତି ସବୁ ପଦାକୁ ଆସିବାରେ ଲାଗିଛି। ଗୋଟିଏ ମାସ୍କକୁ ୯.୯୦ ଟଙ୍କା ଦରରେ ଗୋଟିଏ କମ୍ପାନୀଠୁ କିଣିଥିବା
ଆହୁରି ପଢ଼ନ୍ତୁ
ସରକାର ୨ଦିନ ପରେ ସେହି ସମାନ ମାନର ମାସ୍କକୁ ଅନ୍ୟ ଏକ କମ୍ପାନୀଠୁ ୧୬ଟଙ୍କାରେ କିଣିଛନ୍ତି। ସେହିପରି ରିଏଲ ଟାଇମ୍ ପିସିଆର ମେସିନ୍ ଓ ବ୍ୟବହୃତ ଟେଷ୍ଟିଂ କିଟ୍ କିଣାରେ ଦୁର୍ନୀତି ହୋଇଥିବାର ପ୍ରମାଣ ମିଳିଛି। ପିସିଆର ପିଛା ୧୨.୯୦ ଲକ୍ଷ ଟଙ୍କା ଦେଇ ୧୦୦ଟି ମେସିନ୍ ନିମନ୍ତେ ୧୨.୯୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମାତ୍ର ବଜାରରେ ଏହି ମେସିନ୍ ୪-୫ଲକ୍ଷ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ସରକାର ୧୨.୯୪ଲକ୍ଷ ଟଙ୍କାରେ କିଣିବା ସମସ୍ତଙ୍କୁ ଚକିତ କରିଛି। ସେହିପରି ପିସିଆର ମେସିନରେ ବ୍ୟବହୃତ ଟେଷ୍ଟିଂ କିଟର ବଜାର ଦର ୭୦୦-୮୦୦ଟଙ୍କା। ଯାହାକୁ ଔଷଧ ନିଗମ ୧୩୧୪ଟଙ୍କାରେ କିଣିଛି। ଏଭଳି ୨ଲକ୍ଷ ଟେଷ୍ଟିଂ କିଟ କିଣା ବାବଦକୁ ୨୬.୮୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚଢ଼ାଦରରେ ମେସିନ୍ ଓ କିଟ କିଣିବା ପଛରେ ବହୁ ପରିମାଣର ଦୁର୍ନୀତି ରହିଥିବା କଂଗ୍ରେସ ଅଭିଯୋଗ କରିଛି।
ତେଣୁ ରାଜ୍ୟ ସରକାର ଏହି ଦୁର୍ନୀତିରେ ଲିପ୍ତ ଥିବା ଅଫିସରମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଂଗ୍ରେସ ଦାବି କରୁଛି। ଔଷଧ ନିଗମରେ କୋଟିକୋଟି ଟଙ୍କାର କେଳେଙ୍କାରୀ ହେଉଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଦାସ ଦାବି କରିଛନ୍ତି।