ଦାନା ମୁଠେ ପାଇଁ ସଂଘର୍ଷ କରୁଥିବା ମହିଳା କରୋନା ଲଢ଼େଇ ପାଇଁ ଦେଲେ ୫ ହଜାର

ଆଳି(ବନମାଳୀ ସାହୁ):  କରୋନା ପରି ମହାମାରୀର ମୁକାବିଲା ନିମନ୍ତେ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ହାତ ଟେକି ବସିଛନ୍ତି ବହୁ ଗରୀବ, ଖଟିଖିଆ। ଏପରି ସମୟରେ ନିଜ ପେଟକୁ ୨ ଓଳି ଦାନା ଯୋଗାଡ଼ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜେ କିପରି ବଞ୍ଚିବେ ସେ କଥା ଚିନ୍ତା ନ କରି ଅନ୍ୟମାନଙ୍କ ପାଇଁ ଉଦାହାରଣ ସାଜିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଏକତଳା ଗାଁର ସରୋଜିନୀ ଦାସ।

ବୟସର ଅପରାହ୍ନରେ ପହଞ୍ଚି ସାରିଥିବା ସରୋଜିନୀ ଅଣ୍ଟା ସଳଖି ଚାଲିପାରୁ ନ ଥିବା ବେଳେ କିଛି କାମ କରିବାକୁ ବଳ ବି ନାହିଁ। ନିଜର ବୋଲି ଦୁନିଆରେ କେହି ନ ଥିବା ବେଳେ ପର ହାତଟେକାରେ ତାଙ୍କ ପେଟ ପୁରେ। ଆଜି ପାଇଁ ୨ ମୁଠା ଯୋଗାଡ଼ କରିବା କାଠିକର ପାଠ ହୋଇପଡ଼ୁଥିବା ବେଳେ କାଲି ପାଇଁ ବି ତାଙ୍କ ପାଖରେ କିଛି ନାହିଁ।

ଆହୁରି ପଢ଼ନ୍ତୁ

ବର୍ଷ ବର୍ଷ ଧରି ଦୋକାନବଜାର, ଗାଁ ଦାଣ୍ଡ ବୁଲି ମାଗିଯାଚି ଖାଆନ୍ତି। ମାସେ ହେବ ଦୋକାନବଜାର ବନ୍ଦ ଥିବା ବେଳେ ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି।  ନିଜେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସତ୍ତ୍ୱେ ଅନ୍ୟମାନଙ୍କ କଷ୍ଟକୁ କିନ୍ତୁ ହୃଦୟଙ୍ଗମ କରିପାରିଛନ୍ତି ଏହି ବୃଦ୍ଧା। କୋରେନା ଲଢ଼େଇ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସେ ୫ ହଜାର ଟଙ୍କା ଦାନ କରି ନିଜର ମହାନତାର ପରିଚୟ ଦେଇଛନ୍ତି। ସେ ଚାଲି ଚାଲି ଆସି ରାଜକନିକା ବ୍ଲକରେ ପହଞ୍ଚି  ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏହି ଅର୍ଥ ରାଶି  ଦାନ କରିଛନ୍ତି।

ଏ ସମ୍ପର୍କରେ ସରୋଜୀନୀ କହିଛନ୍ତି, “ମୋ ଭଳି ବହୁ ଲୋକ ଅସୁବିଧା, କଷ୍ଟ ଭୋଗୁଛନ୍ତି। ମୋ ସ୍ୱଳ୍ପ ସଞ୍ଚିତ ଅର୍ଥ ସେମାନଙ୍କ କାମରେ ଲାଗିପାରିଲେ ମୋତେ ଶାନ୍ତି ମିଳିବ । ”

୨ ବର୍ଷ ପୂର୍ବରୁ ମଧ୍ୟ ସରୋଜୀନୀ ଶ୍ରୀମନ୍ଦିର ମରାମତି ନିମନ୍ତେ ୫୦ ହଜାର ଟଙ୍କ ଦାନ କରିଥିଲେ। ନିଜର ବୋଲି କେହି ନ ଥିବା ବେଳେ ମାଗିଯାଚି ଚଳିଥାନ୍ତି ଏହି ବୃଦ୍ଧା। ବଳକା ଅର୍ଥକୁ ସେ ଦାନ କରି ଖୁସି ପାଉଥିବା କହିଛନ୍ତି। ତାଙ୍କର ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

[ad_2]
Exit mobile version