ଦାନା ବାନ୍ଧୁଛି ଘୂର୍ଣ୍ଣିଝଡ଼, ଆସନ୍ତାକାଲି ଲଘୁଚାପ


ଭୁବନେଶ୍ୱର(ସତ୍ୟଶିଖା): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଦାନାବାନ୍ଧିଛୁ। ଏଥିପାଇଁ ଆସନ୍ତାକାଲି ସୁଦ୍ଧା ଏଠାରେ ଏକ ଲଘୁଚାପ ସୃଷ୍ଟି ହେବ। ଏହି ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ମେ ୧୬ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଏବଂ ଜଳବାୟୁ କେନ୍ଦ୍ର(ସିଇସି) ପକ୍ଷରୁ ଆକଳନ କରାଯାଇଛି।
ଯଦିଓ ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଦାନା ବାନ୍ଧିବାର ସମ୍ଭାବନା ରହିଛି, ତେବେ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ପ୍ରତିକୁଳ ପରିସ୍ଥିତି ଯୋଗୁ ଏହାର ଘନୀଭୂତ ହେବା ପ୍ରକ୍ରିୟା ସମୟ ସାପେକ୍ଷ ହେବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।
ତାଙ୍କ ଆକଳନ ଅନୁଯାୟୀ, ତାମିଲନାଡୁ ଉପକୂଳର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ସେହିପରି ମେ ୧୬ ତାରିଖ ରାତିରୁ ଏହି ପ୍ରକ୍ରିୟା ତୀବ୍ର ହେବାର ଆଶଙ୍କା ରହିଛି। କିନ୍ତୁ ଏହାର ସ୍ପଷ୍ଟ ଚିତ୍ର ମେ ୧୫ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ
ବଙ୍ଗୋପସାଗରରେ ଏହା ଘନୀଭୂତ ହେଉଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ମେ ୧୯ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ମେ ୧୯ କିମ୍ବା ୨୦ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବ ବୋଲି ଜଣାପଡ଼ିଛି।
ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ସେ କହିଛନ୍ତି। କାରଣ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ପୃଷ୍ଠର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରହିଥିବାରୁ ଏପରି ସମ୍ଭାବନା ଦୃଢ଼ୀଭୂତ ହେଉଥିବା ସେ କହିଛନ୍ତି।
ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ, ସେ ନେଇ ଡ.ସାହୁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି। ସେହିପରି ଦିନର ତାପମାତ୍ରା ୩୫ ରୁ ୪୦ ଡ଼ିଗ୍ରୀ ରହିବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେ ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ।
ମେ ୧୬ ତାରିଖ ପରେ ରାଜ୍ୟ ପାଣିପାଗରେ ପରିବର୍ତ୍ତନ ହେବ। ମେ ୧୮ରୁ ୨୦ ଯାଏ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷା ଜାରି ରହିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି।