ତିକ୍ତ ହେଉଛି ସମ୍ପର୍କ, ସେନାଧ୍ୟକ୍ଷଙ୍କ ବୟାନକୁ କଡ଼ା ବିରୋଧ କଲା ନେପାଳ


ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ନେପାଳ ସମ୍ପର୍କ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ନିକଟରେ ଭାରତର ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ସୀମା ବିବାଦକୁ ନେଇ ଦେଇଥିବା ମତକୁ ନେପାଳ କଡ଼ା ବିରୋଧ କରିଛି। ଏପରି ବୟାନ ଦେଇ ଭାରତୀୟ ସେନାଧ୍ୟକ୍ଷ ନେପାଳକୁ ଅପମାନିତ କରିଛନ୍ତି ବୋଲି ସେଠାକାର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ଉତ୍ତରାଖଣ୍ଡରେ ଭାରତ ରାସ୍ତା ନିର୍ମାଣ କରୁଥିବାରୁ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଥିଲା। ଏପରି କି ନେପାଳ ସରକାର ନିଜ ମାନଚିତ୍ରରେ ଭାରତର କିଛି ଅଞ୍ଚଳକୁ ନିଜର ବୋଲି ମଧ୍ୟ ଦର୍ଶାଇଥିଲେ। ଏହାକୁ ନେଇ ସେନାଧ୍ୟକ୍ଷ କହିଥିଲେ ଯେ ନେପାଳ ସରକାର ଆଉ କାହାର ସ୍ୱାର୍ଥ ଓ କଥାରେ ପଡ଼ି ଏଭଳି ବିରୋଧ କରୁଛନ୍ତି। ଚାଇନା ହିଁ ନେପାଳକୁ ଉସାକାଉଥିବା ସେ ପରୋକ୍ଷରେ କହିଥିଲେ।
ଏହା ଉପରେ ପ୍ରତିକ୍ରିୟା ଦେଇ ନେପାଳ ପ୍ରତିରକ୍ଷା ମନ୍ତ୍ରୀ ଈଶ୍ୱର ପୋଖରେଲ କହିଛନ୍ତି, “ନେପାଳର ଇତିହାସକୁ ଅଣଦେଖା କରି ଏଭଳି ଏକ ଅପମାନିତ ସୂଚକ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ। ଏହା ଆମର ସାମାଜିକ ଦାୟିତ୍ୱବୋଧ ଓ ସ୍ୱାଧୀନତାକୁ ଅପମାନିତ କରିଛି।
ଆହୁରି ପଢ଼ନ୍ତୁ
ଭାରତୀୟ ଆର୍ମି ଚିଫଙ୍କ ବୟାନ ନେପାଳି ଗୁରଖା ଆର୍ମି ପର୍ସନେଲଙ୍କ ଭାବନାକୁ ମଧ୍ୟ ଆଘାତ ପହଞ୍ଚାଇଛି। ଭାରତର ସୁରକ୍ଷା ପାଇଁ ଏହି ଆର୍ମି ପର୍ସନେଲମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏବେ ଗୁରଖା ଆର୍ମି ସାମ୍ନାରେ ଛିଡ଼ା ହେବାକୁ ଭାରତ ଅକ୍ଷମ।”
ମେ’ ୮ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୮୦ କିମି ରାସ୍ତା ନିର୍ମାଣ କାମକୁ ଉଦଘାଟନ କରିଥିଲେ। ଏହାଦ୍ୱାରା ତିବ୍ବତରେ ଥିବା କୈଳାସ ମାନସୋରଭର ଯାଉଥିବା ଶ୍ରଦ୍ଧାଳୁ ଫାଇଦା ପାଇବେ ବୋଲି ଭାରତ ସରକାର ନିଜ ସୀମାରେ ଏହି ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ।
ହେଲେ ଏହାକୁ ନେପାଳ ପକ୍ଷରୁ ବିରୋଧ କରାଯାଇଥିଲା। ରାସ୍ତାଟି ଉତ୍ତରାଖଣ୍ଡରୁ ଲିପୁଲେଖ ପାସ୍କୁ ସଂଯୋଗ କରିବ। ଏହି ଲିପୁଲେଖ ପାସ ତିବ୍ବତ ସୀମାରେ ରହିଛି। ଏହି ଲିପୁଲେଖ ପାସକୁ ନେପାଳ ନିଜର ବୋଲି ଦାବି କରି ଆସୁଛି।