ଡିସେମ୍ବର ୩ରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ!


ମେଲବର୍ଣ୍ଣ: କରୋନା ଲକଡାଉନ ଭିତରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଡିସେମ୍ବର ୩ ତାରିଖରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୪ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହେବ। ଏନେଇ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଛି।
କରୋନା ଯୋଗୁ କ୍ରିକେଟ ବନ୍ଦ ରହିଛି। ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ବିପୁଳ ପରିମାଣର ଆର୍ଥିକ କ୍ଷତି ସହୁଛି। ଏହାର ଭରଣ କରିବା ପାଇଁ ଭାରତ ସହ ଟେଷ୍ଟ ସିରିଜ କରିବାକୁ ବୋର୍ଡ ଫୁଲଦମରେ ପ୍ରୟାସ ଜାରି ରଖିଛି।
ଅଷ୍ଟ୍ରେଲିଆ ଗଣମାଧ୍ୟମ ୭ନ୍ୟୁଜ.କମ.ଏୟୁ ଓ ସିଡନୀ ମର୍ଣ୍ଣିଂ ହେରାଲଡ୍ରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଶୁକ୍ରବାର ଏ ସମ୍ପର୍କରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା କରାଯିବ।
ଆହୁରି ପଢ଼ନ୍ତୁ
ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଆସୁଥିଲେ ହେଁ କୌଣସି କ୍ୱାରେଣ୍ଟାଇନରେ ଖେଳାଳିଙ୍କୁ ରଖାଯିବ ନାହିଁ। ପ୍ରଥମ ଟେଷ୍ଟ ଡିସେମ୍ବର ୩ରୁ ବ୍ରିସବେନରେ ଆରମ୍ଭ ହେବ। ଏହାପରା ଡିସେମ୍ବର ୧୧ରୁ ଆଡିଲେଡ୍ରେ ଦ୍ୱିତୀୟ ଟେଷ୍ଟ, ଡିସେମ୍ବର ୨୬ରେ ବକ୍ସିଂ ଡେ’ ଟେଷ୍ଟ ମେଲବର୍ଣ୍ଣରେ ଖେଳା ଯିବାକୁ ଥିବା ବେଳେ ନ୍ୟୁୟର ଟେଷ୍ଟ ଜାନୁଆରୀ ୩ରେ ସିଡନୀରେ ଖେଳାଯିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଡିଲେଡ୍ରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟଟି ଦିବାରାତ୍ର ହେବ। ଏ ସମ୍ପର୍କରେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ବି ପୂର୍ବରୁ ସୂଚନା ଦେଇଥିଲେ।
ଅଷ୍ଟ୍ରେଲିଆରେ ୭ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୫୦୦ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ୧୦୨ ଜଣ ପ୍ରାଣ ହରାଇଛନ୍ତି।