ବେଜିଂ: କରୋନା ବାବଦରେ ପ୍ରଥମେ ସୂଚନା ଦେଇ ବହିଷ୍କୃତ ହୋଇଥିଲେ, ପରେ କରୋନାରେ ମୃତ୍ୟୁ ବରଣ କରିଥିବା ଡାକ୍ତର ଲି ଓ୍ୱେନଲିଆଙ୍ଗଙ୍କ ପରିବାରକୁ କ୍ଷମା ମାଗିଛନ୍ତି ଚାଇନା ସରକାର। ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିବା ସହିତ କ୍ଷମା ମାଗିଛନ୍ତି। ଏହାସହିତ ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିଛନ୍ତି।
ଯେଉଁ ଦୁଇ ପୁଲିସ ଅଧିକାରୀ ଡାକ୍ତର ଲି ଓ୍ୱେନଲିଆଙ୍ଗକୁ ଜେରା କରିଥିଲେ ସେମାନଙ୍କ ବିରୋଧରେ ଚୀନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଆହୁରି ପଢ଼ନ୍ତୁ
ଏବେ ମୃତ ଡାକ୍ତରଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହିତ ଶେଷକୃତ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ଚୀନ ସରକାର। ଚୀନରେ ଏଯାବତ ୮୧,୦୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୨୫୫ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଶୁକ୍ରବାର ପାଖରୁ ଚୀନରେ ଏଯାବତ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଡାକ୍ତର ଲିଙ୍କ ମୃତ୍ୟୁ ପରେ ଚାଇନାର ନାଗରିକ ମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କରୋନାର ଉତ୍ପତ୍ତୀ ସ୍ଥଳ କୁହାଯାଉଥିବା ଉହାନର ସେଣ୍ଟ୍ରାଲ ହସ୍ପିଟାଲରେ ଡାକ୍ତର ଲି ୱେନ୍ଲିଆଙ୍ଗ୍ ନିୟୋଜିତ ଥିଲେ। ଡାକ୍ତର ଲି ୱେନ୍ଲିଆଙ୍ଗ୍ କରୋନା ବାବଦରେ ପ୍ରଥମେ ଡିସେମ୍ୱର ୩୦ରେ ତାଙ୍କର ସାଙ୍ଗକୁ ଚାଇନାର ସୋଶାଲ ମିଡିଆ କମ୍ପାନୀ ଉଈ ଚାଟ୍ (WE CHAT) ଜରିଆରେ ମେସେଜ କରି କହିଥିଲେ। ଏହାପରେ ସେହି ମେସେଜର ସ୍କ୍ରିନଶଟ୍ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଚୀନ ସରକାର ଡାକ୍ତର ଲି ୱେନ୍ଲିଆଙ୍ଗ୍ ଗୁଜବ ଖବର ପ୍ରଚାର କରୁଥିବା ଅଭିଯୋଗରେ ତାଙ୍କୁ ବହିସ୍କାର କରିଥିଲେ।
କିଛି ଲୋକ SARS ପରି ସଂକ୍ରମଣରେ ପୀଡ଼ିତ ଓ ସେମାନଙ୍କୁ ହସ୍ପିଟାଲର ପୃଥକ ପୃଥକ ୱାର୍ଡରେ ରଖାଯାଇଥିବା କଥା ସେ ସୋଶାଲ୍ ମିଡିଆରେ ସହଯୋଗୀ ଡାକ୍ତରଙ୍କୁ କହିଥିଲେ। ଏହି ସୂଚନା ପାଇଁ ଲିଙ୍କ ସମେତ ୮ ଜଣଙ୍କୁ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୁଲିସ୍ ସେମାନଙ୍କୁ ସମନ କରିଥିଲା।