ଡାକ୍ତରଖାନାରୁ ଆସି ରାସ୍ତାରେ ପ୍ରସବ କଲେ ମହିଳା


ଭଦ୍ରକ (ପାର୍ଥ ସାରଥୀ ନାୟକ): କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଭଦ୍ରକ ପରି ଏକ ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ବି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଚିତ୍ର। ଉପଯୁକ୍ତ ଚିକିତ୍ସା ନ ପାଇ ରାସ୍ତାରେ ପ୍ରସବ କରିଛନ୍ତି ଜଣେ ମହିଳା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତ୍ର ୫୦ ମିଟର ଦୂରରେ ରାସ୍ତା ଉପରେ ଏଭଳି ଘଟଣା ଘଟିଛି । ଡାକ୍ତରଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ଆହୁରି ପଢ଼ନ୍ତୁ
ସୂଚନା ଅନୁଯାୟୀ, ଚାନ୍ଦବାଲି ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ମିନତିଙ୍କୁ ପ୍ରସବ ନିମନ୍ତେ ଗତକାଲି ସନ୍ଧ୍ୟାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଥିବା ଡାକ୍ତର ତାଙ୍କୁ ଭଦ୍ରକକୁ ରେଫର କରି ଦେଇଥିଲେ ।
ଭଦ୍ରକରେ ପହଞ୍ଚିବାବେଳକୁ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ଯିବାକୁ ଡାକ୍ତର କହିଥିଲେ। ତେବେ ଲକ୍ଡାଉନ ଯୋଗୁ ଗାଡ଼ି ମିଳିବାରେ ସମସ୍ୟା ହେବ ବୋଲି କହିବା ସତ୍ତ୍ୱେ ଡାକ୍ତର ଶୁଣିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେଠାରୁ ପରିବାର ଲୋକେ ମିନତିଙ୍କୁ ରିକ୍ସାରେ ବସାଇ ରାତି ପ୍ରାୟ ୧୦ଟା ବେଳେ ନିକଟରେ ଥିବା ନର୍ସିଂହୋମକୁ ନେଉଥିଲା ବେଳେ ରାସ୍ତାରେ ତାଙ୍କର ପ୍ରସବ ହୋଇଥିଲା ପରେ ମା ଓ ଶିଶୁକୁ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା।