ଦେଶ

ଟ୍ରେନ ଟଏଲେଟରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ

ଝାନସୀ: ପ୍ରବାସୀ ଶ୍ରମିକମାନଙ୍କ ପାଇଁ ହୋଇଥିବା ସ୍ପେଶାଲ ଟ୍ରେନରେ ଥିବା ଅବ୍ୟବସ୍ଥାର ଆଉ ନଗ୍ନଚିତ୍ର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଝାନସୀ ଷ୍ଟେସନ ନିକଟରେ ଏକ ଟ୍ରେନର ଟଏଲେଟ ମଧ୍ୟରୁ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତଦେହକୁ ଦେଖିବା ପରେ ଲାଗୁଛି ଯେ ଏହା କିଛି ଦିନ ଧରି ଏଠାରେ ପଡ଼ି ରହିଥିଲେ ହେଁ ଏହାକୁ କେହି ବି ଧ୍ୟାନ ଦେଉ ନଥିଲେ। ଟ୍ରେନଟି ଷ୍ଟେସନରେ ପହଞ୍ଚିବା ପରେ ବି ମୃତଦେହକୁ ପ୍ରାଥମିକ ଅବସ୍ଥାରେ କେହି ବି ଚିହ୍ନଟ କରିପାରି ନଥିଲେ। ତେବେ ବଗି ଗୁଡ଼ିକ ସାନିଟାଇଜ କରୁଥିବା କର୍ମଚାରୀମାନେ ଏହାକୁ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋହନ ଲାଲ ଶର୍ମା। ତାଙ୍କ ଘର ପୂର୍ବ ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ। ସେ ମୁମ୍ବାଇରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ। କିନ୍ତୁ ଲକ୍ଷଲକ୍ଷ ଶ୍ରମିକଙ୍କ ଭଳି କରୋନା ଲକଡାଉନ ଯୋଗୁ ସେ ମଧ୍ୟ କାମ ହରାଇଥିଲେ ଓ ବାଧ୍ୟ ହୋଇ ଟ୍ରେନ୍‌ରେ ଗାଁକୁ ଫେରୁଥିଲେ।

ଆହୁରି ପଢ଼ନ୍ତୁ

ସେ ଓ ତାଙ୍କ ସହଯୋଗୀମାନେ ମୁମ୍ବାଇରୁ ଆସି ମେ’ ୨୩ରେ ଝାନସୀରେ ପହଞ୍ଚିଥିଲେ। ଏଠାରୁ ପ୍ରଶାସନ ସେମାନଙ୍କୁ ଆଉ ଏକ ଟ୍ରେନରେ ଗୋରଖପୁର ପଠାଇଥିଲା। ଗୋରଖପୁର ଠାରୁ ଶର୍ମାଙ୍କ ବସ୍ତି ଜିଲ୍ଲା ହେଉଛି ୭୦ କିମି।

ତେବେ ଉକ୍ତ ଟ୍ରେନଟି ବୁଧବାର ଦିନ ଗୋରଖପୁର ଦେଇ ଝାନସୀ ଫେରିଥିଲା। ଏହି ସମୟରେ ସଫେଇ କର୍ମଚାରୀମାନେ ଏହାକୁ ସାନିଟାଇଜ କରିଥିଲେ। ଏତିକି ବେଳେ ଟଏଲେଟ ମଧ୍ୟରେ ଶର୍ମାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଶର୍ମା ତାଙ୍କ ସହ ୨୮ ହଜାର ଟଙ୍କା, ଗୋଟିଏ ସାବୁନ ପେଟି ଓ କିଛି ବହି ଧରି ମୁମ୍ବାଇରୁ ଫେରିଥିଲେ। ହେଲେ ଏବେ ସେଗୁଡ଼ିକ ତାଙ୍କ ପାଖରେ ରହିଛି କି ନାହିଁ, ସେକଥା ଜଣାପଡ଼ିନାହିଁ।

[ad_2]
Show More
Back to top button