

ସତ୍ୟଶିଖା(ଭୁବନେଶ୍ୱର ୧୦.୧୧ .୨୦୨୧: ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ, ବିଡିଓମାନଙ୍କୁ ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଶ୍ରୀ ପାଢ଼ୀ, ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଶ୍ରୀ ପାଢ଼ୀ କହିଛନ୍ତି ଯେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ଯେଉଁ ଭୋଟର ତାଲିକା ଜାନୁଆରୀ ୨୦୨୧ରେ ପ୍ରକାଶିତ ହୋଇଛି, ତାହାକୁ ଅଧାର କରି ପଞ୍ଚାୟତ ନିର୍ବାଚନ ଲାଗି ଭୋଟର୍ ତାଲିକା ପ୍ରସ୍ତୁତ କରାଯିବ ।
ନୂଆକରି ଭୋଟର୍ ତାଲିକାରେ ନିଜର ନାମ ପଞ୍ଜୀକରଣ କିମ୍ବା ସଂଶୋଧନ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଏହି ଧାର୍ଯ୍ୟ ତାରିଖ ମଧ୍ୟରେ ଫର୍ମ ୧୬ ଯୋଗେ ଆବେଦନ କରିପାରିବେ । ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ନିମନ୍ତେ ୧ ନଭେମ୍ବରକୁ ଯୋଗ୍ୟ ତାରିଖ ରୂପେ ନିର୍ଦ୍ଧାରଣ କରାଯାଇଛି । ଏହି ତାରିଖ ସୁଦ୍ଧା ୧୮ବର୍ଷ କିମ୍ବା ତା’ଠାରୁ ତତୁର୍ଦ୍ଧ୍ୱଯୋଗ୍ୟ ସମସ୍ତ ବ୍ୟକ୍ତିବିଶେଷ ସାଧାରଣ ପଞ୍ଜୀକରଣ ପାଇଁ ଦରଖାସ୍ତ କରିପାରିବେ । ଶ୍ରୀ ପାଢ଼ୀ କହିଛନ୍ତି ଯେ ଶୃଙ୍ଖଳିତ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବାକୁ ହେଲେ ଭୋଟର ତାଲିକା ତ୍ରୁଟିଶୂନ୍ୟ ହେବା ଜରୁରୀ । ଏଥିରେ ଜିଲ୍ଲାପାଳ ଓ ବିଡିଓମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ୱାର୍ଡରେ ବସବାସ କରୁଥିବା ସମସ୍ତ ଯୋଗ୍ୟ ଭୋଟର୍ଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ସହିତ ଅଯୋଗ୍ୟ ଭୋଟର୍ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ନହୁଅନ୍ତି, ସେଥିପ୍ରତି ସଜାଗ୍ ରହିବା ଉପରେ ସେ ନିର୍ଦ୍ଦେଶ ଦେଇଛନ୍ତି । ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତିବେଳେ ଯେପରି କୌଣସି ଭୋଟର୍ ବାଦ ନପଡ଼ନ୍ତି କିମ୍ବା ଜଣଙ୍କ ନାମ ଏକାଧିକବାର ଭୋଟର ତାଲିକାରେ ସ୍ଥାନ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।
ବରଗଡ଼, ବଲାଙ୍ଗିର, ଗଜପତି, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଓ ନୂଆପଡ଼ା ଆଦି ୭ଟି ଜିଲ୍ଲାପାଇଁ ନଭେମ୍ବର ୩୦ ତାରିଖ ସୁଦ୍ଧା ତେଲେଙ୍ଗାନା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭୋଟ୍ବାକ୍ସ ସଂଗ୍ରହ କରାଯିବ । ଏଥିସହିତ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲାରେ ଭୋଟଗଣତି କେନ୍ଦ୍ରର ସ୍ଥିତି ସମ୍ପର୍କରେ ଜଣାଇବା ନେଇ ବୈଠକରେ କମିଶନର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଥିଲେ । ଭୋଟ୍ବାକ୍ସ ମରାମତି, ଭୋଟ୍ଗ୍ରହଣ କେନ୍ଦ୍ର ଚିହ୍ନଟ, ଅସ୍ଥାୟୀ କେନ୍ଦ୍ର ଚିହ୍ନଟ ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓଙ୍କ ସମେତ ସଚିବ ରବୀନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆୟାର ଓ ଉପସଚିବ ଅଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।