ଜାଫରଙ୍କ ଟି-୨୦ ଟିମରେ ନାହାନ୍ତି କୋହଲି ଓ ରୋହିତ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ ଟେଷ୍ଟ କ୍ରିକେଟର୍ ୱାସିମ୍ ଜାଫର୍ ସୋମବାର ନିଜର ଶ୍ରେଷ୍ଠ ଟି-୨୦ ଅନ୍ତର୍ଜାତୀୟ ଟିମର ଚୟନ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଜାଫରଙ୍କ ଏହି ଟିମରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସ୍ଥାନ ମିଳିନାହିଁ। ଏହି ଫର୍ମାଟରେ ଅନେକ ରେକର୍ଡ କରିଥିବା ରୋହିତ୍ ଶର୍ମା ଓ ବିରାଟ୍ କୋହଲିଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଚୟନ କରିନାହାନ୍ତି ଜାଫର୍।

ଭାରତର ଏକମାତ୍ର ଖେଳାଳି ଭାବେ ଯଶପ୍ରୀତ ବୁମ୍ରା ଏହି ଟିମରେ ସ୍ଥାନ ପାଇଛନ୍ତି। ବୁମ୍ରା ଏହି ଟିମର ୧୧ ନମ୍ବର ସ୍ଥାନରେ ରହିଛନ୍ତି। କେବଳ ଏତିକି ନୁହେଁ, ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଜାଫର ନିଜ ଟିମରେ ସ୍ଥାନ ଦେଇନାହାନ୍ତି। ଜାଫର ଟ୍ୱିଟ୍ କରି ଲେଖିଛନ୍ତି, ଏହା ମୋର ଶ୍ରେଷ୍ଠ ଟି-୨୦ ଟିମ୍। ଏହି ଟିମରେ ମୁଁ ପ୍ରତି ଦେଶର ଜଣେ ଖେଳାଳିଙ୍କୁ ଚୟନ କରିଛି।

ଆହୁରି ପଢ଼ନ୍ତୁ

ଜାଫର ଏହି ଟିମର କ୍ୟାପଟେନ୍ ଦାୟିତ୍ୱ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କୁ ଦେଇଛନ୍ତି। ତାଙ୍କ ସହ ଓପନିଂ ଯୋଡ଼ିଦାର ଭାବେ ପାକିସ୍ତାନର ବାବର ଆଜମଙ୍କୁ ସୁଯୋଗ ଦେଇଛନ୍ତି। ଏହା ପୂର୍ବରୁ ଜାଫର୍ ନିଜର ଶ୍ରେଷ୍ଠ ଅନ୍ତର୍ଜାତୀୟ ଦିନିକିଆ ଟିମ୍ ମଧ୍ୟ ଚୟନ କରିଥିଲେ, ଯେଉଁଥିରେ ଧୋନିଙ୍କ ସମେତ ଚାରି ଭାରତୀୟ ଖେଳାଳିଙ୍କୁ ଚୟନ କରିଥିଲେ। ଜାଫର୍ ଦିନିକିଆ ଟିମରେ ଧୋନିଙ୍କୁ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସହ କ୍ୟାପଟେନ୍ ଦାୟିତ୍ୱ ମଧ୍ୟ ଦେଇଥିଲେ।

ଜାଫରଙ୍କ ଶ୍ରେଷ୍ଠ ଟି-୨୦ ଟିମ୍‌: ଡେଭିଡ୍ ୱାର୍ଣ୍ଣର୍ (କ୍ୟାପଟେନ୍‌, ଅଷ୍ଟ୍ରେଲିଆ), ବାବର ଆଜମ (ପାକିସ୍ତାନ), କେନ୍ ୱିଲିୟମସନ୍ (ନ୍ୟୁଜିଲ୍ୟାଣ୍ଡ୍‌), ଏବି ଡି’ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ଜୋସ୍ ବଟଲର୍ (ଇଂଲଣ୍ଡ), ଆନ୍ଦ୍ରେ ରସେଲ୍ (ୱେଷ୍ଟଇଣ୍ଡିଜ୍‌), ଶାକିବ୍ ଅଲ୍ ହାସନ୍ (ବାଂଲାଦେଶ), ରଶିଦ୍ ଖାନ୍ (ଆଫଗାନିସ୍ତାନ), ସନ୍ଦୀପ ଲାମିଛାନେ (ନେପାଳ), ଲସିଥ୍ ମାଲିଙ୍ଗା (ଶ୍ରୀଲଙ୍କା), ଯଶପ୍ରୀତ ବୁମ୍ରା (ଭାରତ)।



[ad_2]

Exit mobile version