ନୂଆଦିଲ୍ଲୀ: ଚାଇନା ସହ ଦିନକୁ ଦିନ ତିକ୍ତତା ବଢ଼ୁଥିବା ବେଳେ ଦେଶବାସୀ ଏବେ ବେଜିଂ ଠାରୁ ବଦଲା ନେବାକୁ ଚାହୁଁଛନ୍ତି। ଚାଇନା ବିବାଦକୁ ପ୍ରଧାନମନ୍ତ୍ରୀ ଠିକ ଭାବେ ସମାଧାନ କରିପାରିବେ ଓ ବେଜିଂକୁ ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଅଧିକାଂଶ ଭାରତୀୟ ବିଶ୍ୱାସ ରଖିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନ ତୁଳନାରେ ଏବେ ଦେଶବାସୀ ଚାଇନାକୁ ସେମାନଙ୍କର ସବୁଠାରୁ ବଡ଼ ଶତ୍ରୁ ମନେ କରୁଛନ୍ତି। ଆଇଏଏନଏସ-ସି-ଭୋଟର ସ୍ନାପ ପୋଲ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।
ଜୁନ୍ ୧୫ରେ ଭାରତ ଓ ଚାଇନା ଯବାନ ଲଦାଖର ଗଲୱାନ ଘାଟିରେ ମାରପିଟ ହୋଇଥିଲେ। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ୫୦ ଜଣ ଚାଇନା ସୈନ୍ୟ ମୃତାହତ ହୋଇଥିବା କୁହାଯାଉଛି। ଏହାପରେ ଆଇଏନଏସ ପକ୍ଷରୁ ସର୍ଭେ କରାଯାଇଥିଲା।
ସର୍ଭେରେ ମୋଦିଙ୍କ ଉପରେ ପୂର୍ବଭଳି ଅଧିକାଂଶ ଭାରତୀୟ ବିଶ୍ୱାସ ରଖିଛନ୍ତି। ହେଲେ ଭାରତର ଶତ୍ରୁ ପୂର୍ବରୁ ପାକିସ୍ତାନ ଥିବା ବେଳେ ଲଦାଖ ପରେ ଚାଇନା ସେହି ସ୍ଥାନ ନେଇଯାଇଛି।
ଲଦାଖ ସଂଘର୍ଷର ବଦଲା ନେବାକୁ ଭାରତୀୟ ପାଇଁ ଦାବି କରିଛନ୍ତି। ଚାଇନା ସହ ସେମାନେ ବିଦ୍ରୋହ କରିବା ସହ ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ହେଲେ ଏଯାଏ ଚାଇନା ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସେମାନେ ମତ ଦେଇଛନ୍ତି। କେବଳ ବିରୋଧୀ ନୁହନ୍ତି ବିଜେପିର ସଦସ୍ୟମାନେ ଚାଇନା ଠାରୁ ସରକାର ବଦଲା ନବା ସପକ୍ଷରେ କହିଛନ୍ତି।
ଆହୁରି ପଢ଼ନ୍ତୁ
ଚାଇନା ସହ ପୂର୍ବଭଳି ବ୍ୟବସାୟ ଓ ସମ୍ପର୍କ ରଖିବାକୁ ଅନେକ ଭାରତୀୟ ମନା କରିଛନ୍ତି। ଜାତୀୟ ସୁରକ୍ଷା କ୍ଷେତ୍ରରେ କିଏ ବେଶୀ ଯତ୍ନବାନ ବୋଲି ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା। ୮୯% ଲୋକ ମୋଦି ଜାତୀୟ ସୁରକ୍ଷା କ୍ଷେତ୍ରକୁ ଅଧିକ ପ୍ରାଧ୍ୟାନ୍ୟ ଦେଇ ଉଚିତ ମୁକାବିଲା କରିବାରେ ସକ୍ଷମ ବୋଲି କହିଛନ୍ତି।
ଦେଶର ୬୮.୩% ଲୋକ ଚାଇନାକୁ ଶତ୍ରୁ ବୋଲି ବିବେଚନା କରୁଥିବା ବେଳେ ୩୧.୭% ଲୋକ ପାକିସ୍ତାନକୁ ନଂ ୧ ଶତ୍ରୁ ଭାବେ ଅବିହିତ କରିଛନ୍ତି। ୬୦% ଲୋକ କହିଛନ୍ତି ଯେ ଏଯାଏ ଭାରତ ସରକାର ଚାଇନାକୁ ଲଦାଖ ସଂଘର୍ଷ ପାଇଁ ଉପଯୁକ୍ତ ଜବାବ ଦେବାରେ ବିଫଳ ହୋଇଛନ୍ତି। ମାତ୍ର ୩୯.୮% ଲୋକ ଭାରତ ସରକାର ଚାଇନାକୁ ଉପଯୁକ୍ତ ଜବାବ ଦେଇ ସାରିଥିବା ମତ ଦେଇଛନ୍ତି।
ଜାତୀୟ ସୁରକ୍ଷା କ୍ଷେତ୍ରରେ ୭୩.୬% ଲୋକ ବର୍ତ୍ତମାନର ସରକାରଙ୍କୁ ସମର୍ଥନ କରିଥିବା ବେଳେ ମାତ୍ର ୧୬.୭% ଲୋକ ବିରୋଧୀ ଦଳଗୁଡ଼ିକ ଜାତୀୟ ସୁରକ୍ଷା ପାଇଁ ବେଶୀ ଯତ୍ନବାନ ବୋଲି କହିଛନ୍ତି।
ବର୍ତ୍ତମାନର ବିଭିନ୍ନ ଦ୍ରବ୍ୟକୁ ଦେଶରେ ବୟକଟ ପାଇଁ ଦାବି କରାଯାଉଛି। କେତେ ପ୍ରତିଶତ ଲୋକ ଏହି ଦାବିକୁ ସମର୍ଥନ ବୋଲି ସର୍ଭେ ସଂସ୍ଥା ପକ୍ଷରୁ ପଚରା ଯାଇଥିଲା। ଏହାର ଉତ୍ତରରେ ୬୮.୨% ଲୋକ ଚାଇନା ଦ୍ରବ୍ୟକୁ ବୟକଟ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ତେବେ ୩୧.୮% ଲୋକ କହିଛନ୍ତି ଯେ ଯେତେ ଯାହା କହିଲେ ବି ଏହା ସମ୍ଭବ ହୋଇପାରିବ ନାହିଁ ଓ ଲୋକମାନେ ଚାଇନା ଦ୍ରବ୍ୟକୁ ଛାଡ଼ି ପାରିବେ ନାହିଁ।
ଚାଇନା ବିବାଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଜାତୀୟ ସୁରକ୍ଷା ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଘେରୁଛନ୍ତି। ହେଲେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ୬୧% ଲୋକ ରାହୁଲଙ୍କୁ ବିଶ୍ୱାସ ନେଇପାରୁ ନଥିବା କହିଛନ୍ତି। ସେହିପରି ୩୯% ଲୋକ ରାହୁଲଙ୍କୁ ବିଶ୍ୱାସକୁ ନେଉଥିବା କହିଛନ୍ତି।