ଚାଇନାର ନୂଆ ହରକତ, ହେଲିକପ୍ଟରରେ ସୀମା ଡେଇଁବା ବେଳେ ରୋକିଲା ଭାରତ


ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚାଇନା ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ଚାଇନା ପକ୍ଷରୁ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା କିଛି ହେଲିକପ୍ଟରକୁ ଭାରତୀୟ ସେନା ଅଟକାଇ ଦେଇଛନ୍ତି।
ଏଥିସହ ଲଦାଖରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକୁ ମଧ୍ୟ ମୁତୟନ କରାଯାଇଛି। କିଛି ଦିନ ତଳେ ଚାଇନାର ଯବାନମାନେ ସୀମାରେ ଘନଘନ ହେଲିକପ୍ଟର ଉଡ଼ାଇଥିଲେ। ଏଥିସହ ଭାରତୀୟ ବାୟୁସୀମାକୁ ଜୋରଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ହେଲେ ଭାରତୀୟ ଯବାନମାନେ ଚାଇନାର ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଷ୍ଟର୍ଣ୍ଣ ଲଦାଖର ସିନୋ-ଇଣ୍ଡିଆ ସୀମାନ୍ତରେ ହିଁ ଚାଇନା ହେଲିକପ୍ଟର ଉଡ଼ିଥିଲା। ଏହାପୂର୍ବରୁ ପାଙ୍ଗୋଙ୍ଗ ସୀମାରେ ୨୫୦ରୁ ଅଧିକ ଭାରତୀୟ ଓ ସେନା ପରସ୍ପର ସହ ମାରପିଟ କରିଥିଲେ। ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା।
ହେଲେ ଦୁଇ ଦେଶର ସ୍ଥାନୀୟ କମାଣ୍ଡରମାନେ ଆଲୋଚନା କରି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବିବାଦ ସମାଧାନ ହୋଇଥିଲେ ହେଁ ଚାଇନାର ଯୁଦ୍ଧ ହେଲିକପ୍ଟର ଗୁଡ଼ିକ ସୀମାରେ ପଇଁତରା ମାରିଥିଲା।
ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏସୟୁ-୩୦ ଯୁଦ୍ଧ ବିମାନ ଉଡ଼ାଣ କରାଯାଇଛି। ସେହିପରି ଆଉ କିଛି ଯୁଦ୍ଧ ବିମାନ ମଧ୍ୟ ଚାଇନାର ମୁକାବିଲା ପାଇଁ ମୁତୟନ କରାଯାଇଥିଲା।