ଚାଇନାର ଧୋକା ପରେ ରାପିଡ ଟେଷ୍ଟ କିଟ୍ ନିର୍ମାଣ କରିବାକୁ ଭାରତର ନିଷ୍ପତ୍ତି


ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦ୍ରୁତ ପରୀକ୍ଷା କରିବା ପାଇଁ ଭାରତ ସରକାର ନିଜେ କିଟ୍ ନିର୍ମାଣ କରିବେ। ପୂର୍ବରୁ ଦ୍ରୁତ ପରୀକ୍ଷଣ ପାଇଁ ଆବଶ୍ୟକ ରାପିଡ ଟେଷ୍ଟ କିଟ୍ ଚାଇନା ଠାରୁ ଭାରତ ସରକାର ଆଣିବାର ଥିଲା। ହେଲେ ଚାଇନାଠାରୁ ଆସିଥିବା କିଟ୍ଗୁଡ଼ିକ ତ୍ରୁଟିପୂର୍ଣ୍ଣ ବାହାରିବାରୁ ଭାରତ ସରକାର ସମସ୍ତ ପ୍ରକାରର ଅର୍ଡରକୁ ବାତିଲ କରିଦେଇଛନ୍ତି।
ଚାଇନାର ଅର୍ଡର ବାତିଲ କରିବା ପରେ ଏବେ ଭାରତ ସରକାର କରୋନା ରାପିଡ୍ ଟେଷ୍ଟ କିଟ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି, ଆରଟି-ପିସିଆର ଓ ଆଣ୍ଟିବଡି ଟେଷ୍ଟ କିଟ୍ ତିଆରି କରିବାକୁ ଭାରତ ସକ୍ଷମ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି।
ଆହୁରି ପଢ଼ନ୍ତୁ
ଆଇସିଏମଆର ଅନୁମତି ଦେବା ପରେ ନିର୍ମାଣ କାମ ଆରମ୍ଭ ହୋଇଯିବ। ଏହି ଅତ୍ୟାଧୁନିକ କିଟ୍ ଦ୍ୱାରା ଆମେ ଦିନକୁ ୧ ଲକ୍ଷ କରୋନା ପରୀକ୍ଷା କରିପାରିବୁ। ମେ’ ୩୧ ସୁଦ୍ଧା ଏହି ପରୀକ୍ଷଣ କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି।
ଭାରତ ସରକାର ଚାଇନାର ଦୁଇଟି କମ୍ପାନୀଠାରୁ ୫ ଲକ୍ଷ ଆଣ୍ଟିବଡି ରାପିଡ ଟେଷ୍ଟ କିଟ୍ ଆଣିଥିଲେ। ଏଗୁଡ଼ିକୁ ବିଭିନ୍ନ ରାଜ୍ୟଗୁଡ଼ିକୁ ଦିଆଯାଇଥିଲା। ହେଲେ ଏହା ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହେବାରୁ ଆଇସିଏମଆର ଯାଞ୍ଚ କରିଥିଲା।
ଯାଞ୍ଚ ପରେ ଆଣ୍ଟିବଡି ଟେଷ୍ଟ କିଟ୍ରେ କରୋନା ପରୀକ୍ଷା ସନ୍ତୋଷଜନକ ନୁହେଁ ବୋଲି ଆଇସିଏମଆର କହିଥିଲା। ଫଳରେ ଭାରତ ସରକାର ଚାଇନାକୁ ଟେଷ୍ଟ କିଟ୍ ପାଇଁ ଦେଇଥିବା ଅର୍ଡରକୁ ବାତିଲ କରିଦେଇଥିଲେ।






