ଜୀବନମନ୍ତ୍ରନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ସମ୍ କୋଭିଡ଼ ହସ୍ପିଟାଲ ଡାକ୍ତରଙ୍କୁ ପ୍ରଶଂସା କଲେ l

ସତ୍ୟଶିଖା (ଭୁବନେଶ୍ୱର) ୧୨.୧୦.୨୦୨୦ :  ସମ୍ କୋଭିଡ ହସ୍ପିଟାଲର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା  ମହାମାରୀକୁ ପ୍ରତିହତ  କରିବା ନିମନ୍ତେ ଏହି ହସ୍ପିଟାଲର  ଦାୟିତ୍ୱରେ ଥିବା ଡାକ୍ତରମାନେ ଯେଉଁଭଳି  ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ  ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ  ଚିକିତ୍ସା  କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ  ଡାକ୍ତର ଈଶ୍ୱର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା  ପରଠାରୁହିଁ  ଆଇଏମଏସ  ଓ ସମ୍‌ ହସ୍ପିଟାଲର  ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୁବନେଶ୍ୱରରେ ସମ୍‌ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି  । ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି।ସେହିପରି ସମ ତତ୍ତ୍ଵାବଧାନରେ ଭୁବନେଶ୍ୱର ଉପକଣ୍ଠ ଜାମୁଝରୀ ଏବଂ ଜଟଣୀ  ଠାରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟ କରୁଛି  ।  ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲ ରାଜ୍ୟର ବୃହତ୍ତମ ହୋଇଥିବା ବେଳେ ସମ ଅଧିନସ୍ଥ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡିକରେ ୨୨୦୦ରୁ ଅଧିକ ଶଯ୍ୟା ରହିଛି । ସମ୍ କୋଭିଡ ହସ୍ପିଟାଲର ଉତ୍ସର୍ଗୀକୃତ ସେବା ଯୋଗୁଁ ଅସଂଖ୍ୟ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା  ନିର୍ଦ୍ଧାରିତ  କରୋନା ପରିଚାଳନା ନିୟମକୁ ଶୃଙ୍ଖଳିତ ଢଙ୍ଗରେ ବିନିଯୋଗ  କରି  ରୋଗୀଙ୍କ ସେବା କରୁଥିବାରୁ ସମ କୋଭିଡ ହସ୍ପିଟାଲ ଓ ଏହାର ଡାକ୍ତର ମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ଧର୍ଯ୍ୟର ସହ କରୋନା ସଂକ୍ରମିତଙ୍କର ଉତ୍ତମ ସେବା, ଯତ୍ନ ଓ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ସେ କହିଛନ୍ତି ।୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମଧ୍ୟ ସମ୍‌ର ଏହି ଦୁଇ ଦକ୍ଷ ଡାକ୍ତରଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ଡାକ୍ତର ପାତ୍ର ଏବଂ ଡାକ୍ତର ବେହେରା ମଧ୍ୟ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଦକ୍ଷତା ସହିତ କରୋନାର ଆଗୁଆ ପରିଚାଳନା କରୁଥିବାରୁ ଏହା ଦ୍ୱାରା ହଜାର ହଜାର ରୋଗୀ ଉପକୃତ ହୋଇପାରୁଛନ୍ତି ।

Show More
Back to top button