

ସତ୍ୟଶିଖା (ନୟାଗଡ) ୨୩/୧୧/୨୦୨୦ : ବନ୍ଦ ଘରେ ପଡିଛି ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ମୃତଦେହ ନିକଟରେ ପଡିଛି କଟୁରୀ । ନୟାଗଡ ଜିଲ୍ଲା ଗଣିଆ ଥାନା ବିଜୟନଗର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ମୃତ ଯୁବତୀ ହେଲେ ମମତା ରାଉତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମମତାଙ୍କ ଭାଇକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ ଯେ, ମମତା ରବିବାର ରାତିରେ ପରିବାରଲୋକଙ୍କ ସହ ଖାଇପିଅ ଶୋଇଥିଲେ । ସୋମବାର ସକାଳୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଖଟରେ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ବାପା ପ୍ରହ୍ଲାଦ ରାଉତ ଗଣିଆ ଥାନାରେ ଅଭିଯୋଗ କରିଥିଲେ । କେହି ଦୁର୍ବୃତ୍ତ ମମତାଙ୍କ ମୁଣ୍ଡକୁ କଟୁରୀରେ ଏକାଧିକ ଚୋଟ ପକାଇ ହତ୍ୟା କରିଥିବା ଜଣାପଡିଛି । ତେବେ ଘରର କବାଟ ରାତିରେ ଦୁଇ ପାର୍ଶ୍ବରୁ ବନ୍ଦ ଥିବା ପରିବାର ଲୋକେ କହୁଥିବା ବେଳେ କିଏ ଘରେ ପଶି ମମତାଙ୍କୁ ହତ୍ୟା କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି ।
ମମତାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା ବୋଲି ସୂଚନା ମିଳିଛି । ତେବେ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ ବୋଲି ଶୁଣିବାକୁ ମିଳୁଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମମତାଙ୍କ ଭାଇକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।