

ସତ୍ୟଶିଖା(କେନ୍ଦ୍ରାପଡ଼ା ) ୦୩.୦୧.୨୦୨୨: ମା’ ସାଜିଲା ପିଶାଚିନୀ । ନିଜ ପଣତ କାନିରେ ଯେଉଁ ମା’ ଛୁଆକୁ ସବୁବେଳେ ଢାଙ୍କି ରଖିଥାଏ, ଯେଉଁ ହାତରେ ତାକୁ ମମତାବୋଳା ସ୍ପର୍ଶ ଦେଇଥାଏ, ସେହି ହାତରେ ଚିପି ଦେଲା ତା’ ତଣ୍ଟି। ଯେଉଁ ମା’ ନିଜ ଗର୍ଭରୁ ଛୁଆକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ମାତ୍ର ୨ ମାସ ନ ପୁରୂଣୁ ଜୀବନ ନେଇଗଲା ସେହି ମା’ । ପତିପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳହରେ ବଳି ପଡ଼ିଗଲା ନିଷ୍ପାପ ଶିଶୁ।
ପାରିବାରିକ କଳହକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଘଟିଯାଇଛି ଏପରି ଅଭାବନୀୟ କାଣ୍ଡ । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ବାପାମା’ଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, କାନପୁର ଗାଁର ଦମ୍ପତ୍ତି ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ହେଲେ ଆର୍ଥିକ ଅନଟନକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଇତିମଧ୍ୟରେ ୨ ମାସ ପୂର୍ବେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ମଧ୍ୟ କଳହ ଥମିବା ନାଁ ଧରୁ ନ ଥିଲା। କଳହ ଉଗ୍ର ରୂପ ନେବାରୁ ମହିଳାଜଣକ ନିଜ ଶିଶୁ ପୁତ୍ରକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଏହାପରେ ୨ ଦିନ ପୂର୍ବେ ତାଙ୍କ ଭିଣୋଇ ଆଣି ଶାଶୁ ଘରେ ଛାଡ଼ି ଯାଇଥିଲେ।