ଘରେ ରହିବା ପାଇଁ ଶପଥ ନେବାକୁ ନବୀନଙ୍କ ଅନୁରୋଧ, ଘୋଷଣା କଲେ ‘ମୋ ଜୀବନ ଯୋଜନା’


ଭୁବନେଶ୍ୱର (ସତ୍ୟଶିଖା): ‘କରୋନା’ ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଜାରି ହୋଇଛି ଲକ୍ଡାଉନ୍। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କେତେକ ବ୍ୟକ୍ତି ବିଶେଷ ମାନୁନଥିବାରୁ ‘କରୋନା’ ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ଯେଉଁଥିପାଇଁ ପିଲାଛୁଆ ଓ ବାପାମାଆଙ୍କ ନାଁରେ ଶପଥ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ‘କରୋନା’ ମୁକାବିଲା ପାଇଁ ‘ମୋ ଜୀବନ’ ଯୋଜନା ଘୋଷଣା କରିଛନ୍ତି।
ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି। ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ଶପଥ ଭିଡିଓ ସୋଶାଲ ମିଡିଆରେ ମୋ ପାଖକୁ ପଠାନ୍ତୁ।”
ଆହୁରି ପଢ଼ନ୍ତୁ
ସୂଚନାରୁ ପ୍ରକାଶ, ଚାଇନାରୁ ଜନ୍ମ ହୋଇଥିବା ‘କରୋନା’ରେ ବର୍ତ୍ତମାନ ଭାରତରୁ ୧୦ ମୁଣ୍ଡ ନେଇସାରିଲାଣି। ସରକାରୀ ଭାବେ ୪୮୬ ଜଣ ଆକ୍ରାନ୍ତ ହୋଇ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଛନ୍ତି। ‘କରୋନା’ର କୋପ ଦୃଷ୍ଟି ଓଡ଼ିଶାରେ ମଧ୍ୟ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଆଇସୋଲେସନ୍ରେ ଅଛନ୍ତି। ତେବେ ‘କରୋନା’ କାୟା ବିସ୍ତାର କରିବା ପୂର୍ବରୁ ଏହାକୁ ରୋକିବା ପାଇଁ ସରକାର ସମଗ୍ର ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏପରିକି ଯେଉଁମାନେ ଏହି ନିର୍ଦ୍ଦେଶନାମାକୁ ଅବମାନନା କରିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।