ଘରୋଇ ଲ୍ୟାବରେ ହୋଇପାରିବ ‘କରୋନା’ ପରୀକ୍ଷା, କେତେ ଟଙ୍କା ଦେବାକୁ ପଡ଼ିବ ଜାଣନ୍ତୁ


ନୂଆଦିଲ୍ଲୀ: ଘରୋଇ ପରୀକ୍ଷାଗାର ଗୁଡ଼ିକରେ ହୋଇପାରିବ କୋଭିଡ ୧୯ ବା କରୋନା ପରୀକ୍ଷା। ଯେଉଁ ପରୀକ୍ଷାଗାର ଏନଏବିଏଲ ଆକ୍ରିଡେସନ ପାଇଥିବ ସେହି ଘରୋଇ ପରୀକ୍ଷାଗାର ଗୁଡ଼ିକ କରୋନା ପରୀକ୍ଷା କରିପାରିବେ। ଏ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି। ଶନିବାର ରାତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
କୋଭିଡ୍ ପରୀକ୍ଷା ପାଇଁ ସର୍ବାଧିକ ୪,୫୦୦ ରୁ ଅଧିକ ଟଙ୍କା ହୋଇପାରିବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ନ୍ୟାଶନାଲ ଟାସ୍କ ଫୋର୍ସର ସୁପାରିଶ ଅନୁଯାୟୀ କରୋନା ସନ୍ଦିଗ୍ଧଙ୍କର ସ୍କ୍ରିନିଂ ଟେଷ୍ଟ ପାଇଁ ୧,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଅତିରିକ୍ତ ୩୦୦୦ ଟଙ୍କା ସୁନିଶ୍ଚିତ କରିବା ପାଇଁ ନିଆଯାଇପାରେ।
ଆହୁରି ପଢ଼ନ୍ତୁ
ଘରୋଇ ପରୀକ୍ଷାଗାର କେନ୍ଦ୍ର ଗୁଡ଼ିକ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ପାଳନ ନକରିବେ ତାହେଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସନ୍ଦିଗ୍ଧ ଆକ୍ରାନ୍ତଙ୍କର ନମୁନା ପରୀକ୍ଷା ବେଳେ ପରୀକ୍ଷାଗାର ସଂସ୍ଥାକୁ ଆବଶ୍ୟକ ସାବଧାନତା ଗ୍ରହଣ କରାଯିବାକୁ ମଧ୍ୟ କୁହାଯାଇଛି।
କୋଭିଡ୧୯ର ରିଅଲ୍ ଟାଇମ୍ ପିସିଆର- ଆଧାରିତ ନିରାକରଣ ପାଇଁ ବ୍ୟବହୃତ କିଟ୍ ଗୁଡିକ ୟୁଏସଏଫଡିଏ ଅନୁମୋଦିତ କିମ୍ବା ୟୁରୋପୀୟ ସିଏ ସାର୍ଟିଫାଇଡ କିମ୍ୱା ଭାରତ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲଙ୍କ ଗାଇଡ଼ଲାଇନ ପରିସରଭୁକ୍ତ ହୋଇଥିବା। ଯେଉଁ ପରୀକ୍ଷାଗାର ଏହି କିଲର ଭାଇରସର ପରୀକ୍ଷା କରିବେ ସେମାନେ ଆଇସିଏମଆର ଦ୍ୱାରା ଦିଆଯାଇଥିବା ପଞ୍ଜିକରଣ ନମ୍ୱରକୁ ବିଜ୍ଞାପନ ଏବଂ ମେଡିକାଲ ରିପୋର୍ଟରେ ଦର୍ଶାଇବା ଦରକାର ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।






