ଗ୍ୟାସ ଲିକ ଘଟଣା ପାଇଁ କ୍ଷମା ମାଗିଲା ଏଲଜି ପଲିମରସ


ବିଶାଖାପଟନମ: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ ଗ୍ୟାସ ଲିକ ଘଟଣାରେ ଏଲଜି ପଲିମରସ କ୍ଷମା ମାଗିଛି। ଗୁରୁବାର ଏହି ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ ଲିକ ହୋଇ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଅସୁସ୍ଥ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଆଜି ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ଲାଣ୍ଟକୁ ବନ୍ଦ କରିବା ଦାବିରେ ବିକ୍ଷୋଭ କରିଥିଲେ। ଫଳରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଏସବୁ ଭିତରେ ଆଜି କମ୍ପାନୀ ତରଫରୁ କ୍ଷମା ପ୍ରାର୍ଥନା କରାଯାଇଛି।
ଆହୁରି ପଢ଼ନ୍ତୁ
କମ୍ପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆମେ ଗ୍ୟାସ ଲିକ୍ ଘଟଣା ପାଇଁ କ୍ଷମା ମାଗୁଛୁ। ଆମେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛୁ ଯେ ଗ୍ୟାସ ଲିକ ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଶତପ୍ରତିଶତ ସହଯୋଗ କରିବୁ। ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବୁ।
ଆମ ଟିମ ସରକାରଙ୍କ ସହ ମିଶି ଦିନ ରାତି ଅଘଟଣର କାରଣ ଖୋଜୁଛି। ଆମର ଆଶା ଆମେ ଖୁବଶୀଘ୍ର ଆଗକୁ ଯେମିତି ଏଭଳି ଅଘଟଣ ନ ଘଟିବ, ସେ ଦିଗରେ ସମସ୍ତ ପ୍ରକାରର ପଦକ୍ଷେପ ନେବୁ। ଲୋକଙ୍କୁ ସହାୟତା କରିବା ପାଇଁ ଏଲଜି ପଲିମରସ ଏକ ଟ୍ୟାକ୍ସ ଫୋର୍ସ ଗଠନ କରିଛି। ଆମେ ଲୋକମାନେ ଏକ ଦୀର୍ଘ ମିଆଦି ଯୋଜନା ମଧ୍ୟ ପ୍ରସ୍ତୁତ କରିବୁ।”
ଗତକାଲି ଗ୍ୟାସ ଲିକ ଘଟଣାର ଶୁଣାଣି କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏଲଜି ପଲିପରମସକୁ ୫୦ କୋଟିର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।