ଗୋରଖନାଥ ମନ୍ଦିରର କାନ୍ଥ ଭାଙ୍ଗିବାକୁ ରାଜି ହେଲେ ଯୋଗୀ


ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରର ପରିସରର ଏକ ପାଚେରି ଭାଙ୍ଗିବାକୁ ଶେଷରେ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋରଖପୁରରୁ ସୋନାଉଲିକୁ ଲମ୍ବିଥିବା ରାସ୍ତାକୁ ଅଧିକ ଚଉଡ଼ା କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି।
ଏହି କାରଣରୁ ମନ୍ଦିର ପରିସର କାନ୍ଥ ଭାଙ୍ଗିବାକୁ ପଡ଼ିବ। ଏନେଇ ଏକ ପ୍ରସ୍ତାବ ଯୋଗୀ ଆଦିତ୍ୟନାଥଙ୍କ ପାଖକୁ ପଠାଯାଇଥିଲା। ଏହାକୁ ବିଚାର କରିବା ପରେ ସେ କାନ୍ଥ ଭାଙ୍ଗିବାକୁ ସହମତି ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉକ୍ତ କାନ୍ଥ ସହ ମନ୍ଦିର ନିକଟରେ ଥିବା କିଛି ଦୋକାନକୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ରାସ୍ତା ଗୋରଖନାଥ ମନ୍ଦିର, ଧର୍ମଶାଳା, ମୋହିଦପୁର, କୁଡାଘାଟ ଓ ନନ୍ଦନଗର ସହ ଏୟାରପୋର୍ଟକୁ ସଂଯୋଗ କରୁଛି। ମନ୍ଦିରର ଜଣେ କର୍ମଚାରୀ କହିଛନ୍ତି, ଲୋକଙ୍କ ସ୍ୱାର୍ଥ କଥା ଆସିଲେ ମୁଖ୍ୟମନ୍ତ୍ରୀ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।
ରାସ୍ତା କାମ ପାଇଁ ଯଦି କିଛି ଘର, ଦୋକାନ କିମ୍ବା ଧର୍ମାନୁଷ୍ଠାନ ଆସୁଛି, ତା’ହେଲେ ସେସବୁକୁ ଉଚ୍ଛେଦ କରାଯାଉ ବୋଲି ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରର ପରିସରର କାନ୍ଥକୁ ଲାଗି ପ୍ରାୟ ୫୦ଟି ଦୋକାନ ରହିଥିଲା। ସେସବୁ ଉଚ୍ଛେଦ କରାଯାଇଥିବା ସେ କହିଛନ୍ତି।
ପିଡବ୍ଲ୍ୟୁଡି ନ୍ୟାଶନାଲ ପ୍ରୋଜେକ୍ଟ ମ୍ୟାନେଜର ଏମକେ ଅଗ୍ରୱାଲ କହିଛନ୍ତି, “୪ ଲାଇନ ବିଶିଷ୍ଟ ରାସ୍ତା କାମ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାର ୩୦% କାମ ଶେଷ ହୋଇଗଲାଣି। ୧୭ କିମି ଲମ୍ବ ବିଶିଷ୍ଟ ରାସ୍ତା ନିର୍ମାଣ କାମରେ ମନ୍ଦିରର ପାଚେରି ବାଧକ ସାଜିଥିଲା। ହେଲେ ଏବେ ଏହାକୁ ଭଙ୍ଗା ଯାଇଛି।”