ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଜାହିର୍ ଖାନ୍ ଉଭୟ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଖେଳିସାରିଛନ୍ତି। ଗାଙ୍ଗୁଲି ଓ ଧୋନିଙ୍କ କ୍ୟାପଟେନ୍ସି ମଧ୍ୟରେ କ’ଣ ଫରକ ରହିଛି, ତାକୁ ନେଇ ଜାହିର ବଡ଼ ବୟାନ ଦେଇଛନ୍ତି। ଜାହିରଙ୍କ ମତରେ ଭାରତର ଦୁଇ ସଫଳ କ୍ୟାପଟେନ୍ ଗାଙ୍ଗୁଲି ଓ ଧୋନିଙ୍କ ମଧ୍ୟରେ ଅନେକ ସମାନତା ଅଛି।
ଆହୁରି ପଢ଼ନ୍ତୁ
ଜାହିର୍ କହିଛନ୍ତି, ଗାଙ୍ଗୁଲି ମୋତେ ଯେଉଁଭଳି ସପୋର୍ଟ କରିଥିଲେ, ସେହିଭଳି ସପୋର୍ଟ କ୍ୟାରିୟର ଆରମ୍ଭରୁ ଆବଶ୍ୟକ ଥିଲା। ଯେତେବେଳେ ଜଣେ ଅନ୍ତର୍ଜାତୀୟ ସ୍ତରରେ ନିଜର କ୍ୟାରିୟର ଆରମ୍ଭ କରେ, ତାକୁ ସେହିପରି ସମର୍ଥନ ମିଳିବା ଦରକାର। ତେଣିକି ବାକି ଆପଣଙ୍କ ଉପରେ ନିର୍ଭର କରେ ଯେ ନିଜ କ୍ୟାରିୟରକୁ କିପରି ଆଗକୁ ବଢ଼ାଇବ। ଗାଙ୍ଗୁଲି ମଧ୍ୟ ଯୁବ ଖେଳାଳିଙ୍କୁ ବହୁତ ପ୍ରାଧାନ୍ୟ ଦେଉଥିଲେ, ଯଦ୍ଦ୍ୱାରା ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା। କିନ୍ତୁ ମୋ ମତରେ ପ୍ରାରମ୍ଭିକ ସମର୍ଥନ ବହୁତ ଗୁରୁତ୍ୱପୂର୍ଣ୍ଣ।
୨୦୧୧ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଥିବା ଜାହିର ଆହୁରି କହିଛନ୍ତି, ଉଭୟ ଗାଙ୍ଗୁଲି ଓ ଧୋନି ଦୀର୍ଘ ସମୟ ଧରି ଭାରତର ନେତୃତ୍ୱ ନେଇଛନ୍ତି। ମୁଁ ଧୋନିଙ୍କ ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ପାଇଛି। ଯେତେବେଳେ ଧୋନି ଟିମକୁ ଆସିଲେ, ସେତେବେଳେ ଟିମରେ ଅନେକ ସିନିୟର ଖେଳାଳି ଥିଲେ। ଏଥିପାଇଁ ଧୋନିଙ୍କୁ ବିଶେଷ କିଛି କରିବାକୁ ପଡ଼ିନଥିଲା। କିନ୍ତୁ ଯେତେବେଳେ ସିନିୟର ଖେଳାଳି ପର୍ଯ୍ୟାୟକ୍ରମେ ସନ୍ନ୍ୟାସ ନେବା ଆରମ୍ଭ କଲେ, ଧୋନି ସେହି ସମୟରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲେ। ତେଣୁ ଦାଦା (ଗାଙ୍ଗୁଲି) ଯୁବ ଖେଳାଳିମାନଙ୍କୁ ଯେଉଁଭଳି ଉପଯୋଗ କରିଥିଲେ, ଧୋନି ଠିକ୍ ସେୟା କରିଥିଲେ।