‘ଗାଁରେ ପାଦ ଦେଲେ କିରୋସିନି ଢାଳି ଜାଳି ଦେବୁ’

କରଞ୍ଜିଆ (ସତ୍ୟବ୍ରତ ବେହେରା ): କରୋନା ହଟସ୍ପଟ ପାଲଟିଥିବା ଯାଜପୁରରୁ ଫେରିଥିବାରୁ ଗାଁରେ ପଶିପାରୁ ନାହାନ୍ତି ୨ ମହିଳାଙ୍କ ସମେତ ୫ ଶ୍ରମିକ। ଗାଁରେ ପାଦ ଦେଲେ କିରୋସିନି ଢାଳି ଜାଳି ଦିଆଯିବ ବୋଲି ସେମାନଙ୍କୁ ଧମକ ଦିଆଯାଉଛି। ତେଣୁ ଭୟରେ ଗାଁରେ ନପଶି ମୁଣ୍ଡ ଗୁଞ୍ଜିବାକୁ ଜାଗା ଦେବାକୁ ପ୍ରଶାସନକୁ ସେମାନେ ଗୁହାରି କରିଛନ୍ତି। ଏପରିକି ସେମାନଙ୍କୁ ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବାକୁ ସେମାନେ ନିଜ ଆଡ଼ୁ ଦାବି କରିଛନ୍ତି। କିନ୍ତୁ କେହି କିଛି ବୁଝୁନାହାନ୍ତି। ଲକ୍‌ଡାଉନ୍‌ ବେଳେ ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ।

କାମଧନ୍ଦା କରି ପେଟ ପୋଷିବା ନିମନ୍ତେ ଏହି ୫ ଜଣ ପୁରୁଷ ଓ ମହିଳା ୨ ମାସ ତଳେ ଯାଜପୁର ଜିଲ୍ଲାକୁ ଯାଇଥିଲେ। ସେଠାରେ ଜଣେ ଠିକାଦାରଙ୍କ ପାଖରେ ରହି କାମ କରୁଥିଲେ। ତେବେ ହଠାତ୍ କରୋନା ପାଇଁ ସରକାରୀ କଟକଣା ଜାରି ହେବାରୁ ବିନା କାମରେ ସେଠାରେ ଫସି ରହିଥିଲେ। ରହିବା ଓ ଚଳିବାରେ ସମସ୍ୟା ହେବାରୁ ସମ୍ପୃକ୍ତ ଠିକାଦାର ସେମାନଙ୍କୁ କରଞ୍ଜିଆ ବ୍ଲକ୍‌ ସାନରାମଚନ୍ଦ୍ରପୁରସ୍ଥିତ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। କିନ୍ତୁ ଗାଁରେ ପହଞ୍ଚିବା ପାଇଁ ଆଉ ଅଳ୍ପବାଟ ଥିବାବେଳେ ହଠାତ୍‌  ଆସିଲା ଧମକ। ଭୁଲରେ ଗାଁକୁ ଆସିଲେ କିରୋସିନି ଢାଳି ଜାଲିଦେବୁ ବୋଲି କହିଥିଲେ କିଛି ଗ୍ରାମବାସୀ। ଫଳରେ ବାଧ୍ୟହୋଇ କରଞ୍ଜିଆ ଥାନାର ଦ୍ୱାରସ୍ତ ହୋଇଥିଲେ ଏହି ଶ୍ରମିକମାନେ।

ଆହୁରି ପଢ଼ନ୍ତୁ

ସବୁ ଶୁଣିବା ପରେ ଥାନା ଅଧିକାରୀ ସେମାନଙ୍କୁ ଉପଜିଲ୍ଲାପାଳଙ୍କ ପାଖକୁ ପଠାଇ ଦେଇଥିଲେ। ଉପଜିଲ୍ଲାପାଳ ସବୁ ଶୁଣି ସେମାନଙ୍କୁ ବିଡ଼ିଓ ଓ ବିଡ଼ିଓ ସେମାନଙ୍କୁ ତହସିଲଦାରଙ୍କ ପାଖକୁ ପଠେଇ ଦେଇଥିଲେ। କିନ୍ତୁ ସେମାନେ କେଉଁଠି କ୍ୱାରେଣ୍ଟାଇନ୍‌ରେ ରହିବେ ସେ ବାବଦରେ କେହି କିଛି କହି ନଥିଲେ। ତେଣୁ ସେମାନେ ଶନିବାର ରାତିତମାମ ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଓ ରବିବାର କରଞ୍ଜିଆ ବସଷ୍ଟାଣ୍ଡର ଯାତ୍ରୀ ପ୍ରତୀକ୍ଷାଳୟରେ ରହିଥିଲେ। ସେମାନଙ୍କ ନିମନ୍ତେ ଖାଇବା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ରହିବା ବ୍ୟବସ୍ଥା କରାଯାଉ ନ ଥିବାରୁ ସେମାନେ ବହୁ ହଇରାଣ ହେଉଥିବା ଏହି ଶ୍ରମିକମାନେ କ୍ଷୋଭର ସହ କହିଛନ୍ତି।

ଏନେଇ କରଞ୍ଜିଆ ବିଡ଼ିଓଙ୍କୁ ପଚାରିବାରୁ ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ। ସେପଟେ ସ୍ଥାନୀୟ ଉପଜିଲ୍ଲାପାଳ ଘଟଣା ନେଇ କିଛି ଜାଣିନଥିବା କହିଥିଲେ। ବାହାରୁ ଫେରୁଥିବା ଲୋକଙ୍କ ରହିବ ନିମନ୍ତେ ପଞ୍ଚାୟତ କ୍ୱାରେଣ୍ଟାଇନ୍‌ରେ ବ୍ୟବସ୍ଥା କରାଯାଉଥିବା ସତ୍ତ୍ୱେ ଏହି ଶ୍ରମିକମାନଙ୍କୁ ଗାଁରେ ପଶାଇ ଦିଆ ନ ଯିବା ଦୁଃଖର ବିଷୟ।

[ad_2]
Exit mobile version