ଦେଶନ୍ୟୁଜ୍ରାଜ୍ୟ

ଆଜି ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି, ଗଣତନ୍ତ୍ର ଦିବସରେ

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରୁଛନ୍ତି । ଦିଲ୍ଲୀ ସୀମାରେ ଏକତ୍ର ହୋଇ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ମଙ୍ଗଳବାର ଅର୍ଥାତ ଗଣତନ୍ତ୍ର ଦିବସ ଉପଲକ୍ଷେ କୃଷକମାନେ ଟ୍ରାକ୍ଟର ରାଲି କରିବେ । ଏହାସହ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ଚାଷୀମାନେ ସଜବାଜ ଆରମ୍ଭ କରି ଦେଇଛନ୍ତି । ଆହୁରି ମଧ୍ୟ ଦାବି ପୂରଣ ନ ହେଲେ ବଜେଟ ଅଧିବେଶନ ଦିନ ଅର୍ଥାତ୍‌ ଫେବ୍ରୁଆରୀ ୧ରେ ମଧ୍ୟ ଚାଷୀମାନେ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରିବେ ବୋଲି ଆହ୍ୱାନ ଦେଇଛନ୍ତି ।ତେବେ ଟ୍ରାକ୍ଟର ରାଲି ପାଇଁ ୩୭ଟି ସର୍ତ୍ତ ସହ ଦିଲ୍ଲୀ ପୋଲିସ ଚାଷୀଙ୍କୁ ଅନୁମତି ଦେଇଛି । ରାଲିରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଅସ୍ତ୍ରଶସ୍ତ୍ରକୁ ନିଷେଧ କରାଯାଇଛି । ଏପରିକି ଦିନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ମିଳିଛି । ଏସବୁ ମଧ୍ୟରେ ରାଲିକୁ ନେଇ ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ଦିଲ୍ଲୀ ପୋଲିସ ଦେଇଥିବା ରୁଟ୍‌ ଏବଂ ଚାଷୀମାନେ ଦାବି କରୁଥିବା ରୁଟ୍‌ ମେଳ ଖାଉନାହିଁ । ସିଙ୍ଘୁ, ଟିକରୀ ଏବଂ ଗାଜିପୁର ସୀମା ଯୋଗେ ଚାଷୀମାନେ ଦିଲ୍ଲୀ ମଧ୍ୟରେ ପ୍ରବେଶ କରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିପାରିବେ ବୋଲି କୁହାଯାଇଥିଲା । କିନ୍ତୁ ଦିଲ୍ଲୀ ପୋଲିସର ଏହି ରୁଟ୍‌କୁ ଚାଷୀମାନେ ଗ୍ରହଣ କରୁନାହାଁନ୍ତି । ପୂର୍ବ ଯୋଜନା ମୁତାବକ ସେମାନେ ରିଙ୍ଗ ରୋଡ୍‌ରେ ଟ୍ରାକ୍ଟର ରାଲି କରିବା ନେଇ ଜିଦ୍‌ରେ ଅଟଳ ଅଛନ୍ତି ଅନ୍ନଦାତା । ଦିଲ୍ଲୀ ପୋଲିସ ଦେଇଥିବା ରୁଟ୍‌ର ଅଧିକାଂଶ ସ୍ଥାନ ହରିଆଣାରେ ଆସୁଥିବା ଚାଷୀନେତା ସୁଖବିନ୍ଦର ସିଂହ ଅଭିଯୋଗ କରିଛନ୍ତି । ଏପରିକି ଦିଲ୍ଲୀ ପୋଲିସ ସେମାନଙ୍କୁ ଧୋକା ଦେଇଛି ବୋଲି ସେ କହିଛନ୍ତି ।

ଏସବୁ ଭିତରେ ଟ୍ରାକ୍ଟର ରାଲି ସମୟରେ ହିଂସା ସୃଷ୍ଟି ହେବା ନେଇ ଦିଲ୍ଲୀ ପୋଲିସ କରିଥିବା ଆଶଙ୍କା ଅଧିକ ଘନିଭୂତ ହେବାରେ ଲାଗିଛି । ପାଖାପାଖି ୨ ଲକ୍ଷ ଟ୍ରାକ୍ଟର ଶୋଭାଯାତ୍ରାରେ ସାମିଲ ହେବେ ବୋଲି କୃଷକ ସଙ୍ଗଠନ କହିଛି । ପଞ୍ଜାବ, ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟର ଚାଷୀମାନେ ‌ରାଲିରେ ସାମିଲ ହେବେ ବୋଲି ଜଣାପଡିଛି । ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ସମେତ ସିଆର୍‌ପିଏଫ୍‌ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି ।

Show More
Back to top button