ରାଜ୍ୟ

ଖୁବଶୀଘ୍ର କୋଭିଡ୍ ହସ୍ପିଟାଲରେ ଆଉ ୪ ହଜାର ବେଡ୍‌

ଭୁବନେଶ୍ୱର(ସତ୍ୟଶିଖା): କରୋନା ମୁକାବିଲା ପାଇଁ ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲଗୁଡ଼ିକରେ ଆଉ ୪ହଜାର ବେଡ୍ ସୃଷ୍ଟି କରାଯିବ। ଏବେ ୬ହଜାର ବେଡ୍ ଥିବାବେଳେ ଖୁବଶୀଘ୍ର ଏହା ୧୦ହଜାରକୁ ବୃଦ୍ଧି ହେବ ବୋଲି ଆଜି ମନ୍ତ୍ରିସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ କରୋନା ସଂକ୍ରମଣ ଚିହ୍ନଟ ପାଇଁ ରାଜ୍ୟରେ ଏବେ ଦୈନିକ ହାରାହାରି ୪୫୦୦ଟି ନମୂନା ପରୀକ୍ଷା ହେଉଥିବାବେଳେ ଏହାକୁ ୧୫ହଜାରକୁ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ଆନୁସଙ୍ଗିକ ଯନ୍ତ୍ରପାତି କ୍ରୟ ସହ ତାହା କିଭଳି ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। କୋରାପୁଟ, ବଲାଙ୍ଗିର, ବାରିପଦା ଓ ବାଲେଶ୍ୱରଠାରେ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନିଆଯାଇଛି। ଚଳିତମାସ ଶେଷ ସୁଦ୍ଧା ଏସବୁ ସ୍ଥାନରେ ନମୂନା ପରୀକ୍ଷା ସୁବିଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ସେହିପରି ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ପରୀକ୍ଷା ନିମନ୍ତେ ଟେଣ୍ଡର ଜାରି ହୋଇଥିବାବେଳେ କେତେକ ହସ୍ପିଟାଲରେ ଏଥିରେ ଭାଗ ନେଇଛନ୍ତି। ଖୁବଶୀଘ୍ର ଏହି ପ୍ରକ୍ରିୟା ଚୂଡ଼ାନ୍ତ ହେବ।

ଏହାବ୍ୟତୀତ ଯେଉଁସବୁ ବ୍ଲକକୁ ଅଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଆସିଛନ୍ତି ସେଠାରେ କ୍ୱାରେଣ୍ଟାଇନ ସେଣ୍ଟର ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ନୂଆ ଗାଇଡଲାଇନ ଅନୁସାରେ କ୍ୱାରେଣ୍ଟାଇନ କେନ୍ଦ୍ରର ୧୦୦ମିଟର ପରିଧି ମଧ୍ୟରେ ଲୋକମାନଙ୍କ ଯାତାୟାତ ଉପରେ କଟକଣା ରହିଛି। ଲୋକମାନେ ମାସ୍କ ପିନ୍ଧିବା ଓ ବାହାରେ ଅଧିକ ସଂଖ୍ୟକ ବୁଲାବୁଲି ନକରିବା ସହ ସେମାନଙ୍କୁ ଅଧିକ ସଚେତନ କରିବା ଉପରେ ଆଜିର ବୈଠକରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ପିପିପି ମୋଡରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ ସ୍ଥାପନ କରିଛନ୍ତି।

[ad_2]
Show More
Back to top button