କ୍ୱାରେଣ୍ଟାଇନରେ ସ୍ୱାମୀ, ପ୍ରେମିକ ସହିତ ସ୍ତ୍ରୀ ଫେରାର


ଭୋପାଲ: ସ୍ୱାମୀ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ସ୍ତ୍ରୀ ପ୍ରେମିକ ସହିତ ଫେରାର ହୋଇଯାଇଛି। ଏଭଳି ଅଭିଯୋଗ ଆସିଛି ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ। ପୁଲିସ୍ ଏ ଘଟଣାରେ ନିଖୋଜ ମାମଲା ଦାଏର କରି ତଦନ୍ତ ଚଲାଇଛି।
ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣଙ୍କ ଜଣେ ପ୍ରବାସୀ ଶ୍ରମିକ। ତାଙ୍କ ବୟସ ୫୦ ବର୍ଷ। ସେ ଦିଲ୍ଲୀରେ ଏକ କନ୍ଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରନ୍ତି। ମେ’ ୧୯ ତାରିଖରେ ସେ ତାଙ୍କ ଗାଁ ମଧ୍ୟପ୍ରଦେଶର ମୁଣ୍ଡେରୀକୁ ଫେରିଥିଲେ। ଏହାପରେ ସେ କ୍ୱାରେଣ୍ଟାଇନ୍ରେ ରହିଥିଲେ। ସରକାରଙ୍କ ନିୟମ ଅନୁଯାୟୀ, ୭ ଦିନ ସରକାରୀ କ୍ୱାରେଣ୍ଟାଇନ୍ରେ ରହିଥିଲେ। ତା’ପରେ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ଘରକୁ ଆସିଥିଲେ। ତେବେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ତାଙ୍କ ସ୍ତ୍ରୀ ଆଉ କାହା ସହ ଫେରାର ହୋଇଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ
ଦିଲ୍ଲୀର ଏକ କନଷ୍ଟ୍ରକସନ କମ୍ପାନୀରେ ସେ କାମ କରୁଥିବା କହିଛନ୍ତି । ତାଙ୍କର ତିନି ସନ୍ତାନ ରହିଛନ୍ତି। ସମସ୍ତେ ଦିଲ୍ଲୀରେ ଏକାଠି ରହୁଥିଲେ। ହେଲେ ଦେଢ଼ ବର୍ଷ ହେବ ପିଲା ଛୁଆ ଏବଂ ତାଙ୍କ ସ୍ତ୍ରୀ ଗାଁକୁ ପଳାଇ ଆସିଛନ୍ତି। କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ୭ ଦିନ ରହି ସାରିବା ପରେ ସେ ଘରେ କ୍ୱାରେଣ୍ଟାଇନରେ ରହିଥିଲେ। ସେ ଘରର ପ୍ରଥମ ମହଲାରେ ରହୁଥିଲେ ସ୍ତ୍ରୀ ଓ ପିଲା ଛୁଆ ତଳ ମହଲାରେ ରହୁଥିଲେ।
ସକାଳୁ ଉଠି ନିଜ ରୁମ୍ ଖୋଲିବାକୁ ଚେଷ୍ଟା କରିଥିଲେ। ହେଲେ ବାହାରୁ ତାଲା ପଡ଼ିଥିବା ପ୍ରବାସୀ ଶ୍ରମିକ ଜଣଙ୍କ ଦେଖିବାକୁ ପାଇଥିଲେ। ତେବେ ସେ ନିଜ କୌଶଳ ମୁତାବିକ୍ ନିଜ ରୁମରୁ ବାହାରି ଆସିଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ଆଉ ପାଇନଥିଲେ। ଏମିତିକି ତାଙ୍କ ପିଲାମାନେ ମଧ୍ୟ କିଛି ଜାଣିନଥିବା କହିଥିଲେ ବୋଲି ଅଭିଯୋଗକାରୀ ପ୍ରବାସୀ ଶ୍ରମିକ କହିଛନ୍ତି। ଏହାପରେ ସେ ମୁହଁରେ ଗାମୁଛା ବାନ୍ଧି ଆଖପାଖ ଘର ବୁଲି ତାଙ୍କ ସ୍ତ୍ରୀଙ୍କ ବାବଦରେ ପ୍ରବାସୀ ଶ୍ରମିକ ଜଣଙ୍କ ପଚାରିଥିଲେ। ହେଲେ କେହି ଜାଣିନଥିବା ସେ କହିଛନ୍ତି।