ଆଜି ଉପକୂଳରେ ବର୍ଷା l

ସତ୍ୟଶିଖା (ଭୁବନେଶ୍ୱର) ୧୫/୧୦/୨୦୨୦ : ଅବପାତ ଓଡ଼ିଶାରୁ ବହୁ ଦୂରକୁ ପଳାଇଛି । ତଥାପି ଓଡ଼ିଶାରେ ବର୍ଷା ପ୍ରକୋପ କମିନାହିଁ । ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇଛି । କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ବଂଶଧାରା ଉଛୁଳିଛି । କାଶିନଗରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ଏବେ ବି ବର୍ଷା ଲାଗି ରହିବ । ଆଜି ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିପାରେ । ୧୭ରୁ ପୁଣି ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ।ଲଗାଣ ବର୍ଷା ଯୋଗୁ ବଂଶଧାରା ଭୟାନକ ରୂପ ନେଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗରରେ ବିପଦ ସଙ୍କେତ ସ୍ତର ୫୪.୬୦ ମିଟର ହୋଇଥିବାବେଳେ ସନ୍ଧ୍ୟା ୬ଟାବେଳେ ଜଳସ୍ତର ୫୪.୭୪ ମିଟର ଥିଲା । ଗୁଣୁପୁରରେ ସତର୍କ ସଙ୍କେତ ( ୮୩ ମିଟର) ଛୁଇଁସାରିଛି ବଂଶଧାରା । ପୁରୁଷୋତ୍ତମପୁରରେ ସତର୍କ ସଙ୍କେତ (୧୫.୮୩ ମି) ଉପରେ ଚାଲିଛି ବଂଶଧାରା । ସନ୍ଧ୍ୟା ୬ଟାବେଳେ ଜଳସ୍ତର ୧୬.୧୩ ମିଟର ଥିଲା ।
ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସିଥିବାବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଗଞ୍ଜାମ, ଗଜପତି, ରାୟଗଡ଼ାର ବିଭିନ୍ନ ତଳି ଇଲାକାରେ ପାଣି ପଶିଛି । ସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ କହିଛି, ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ଗୁରୁବାର ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୭ରୁ ଆଉ ଏକ ଲଘୁଚାପ ସମ୍ଭାବନା ଥିବାରୁ ପୁଣି ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ ।