ଦେଶଧର୍ମନ୍ୟୁଜ୍

ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ଜୋରଦାର ପ୍ରସ୍ତୁତି, ସ୍ୱତନ୍ତ୍ର ଭାବେ ଏକ ଲକ୍ଷ ଏଗାର ହଜାର ଲଡୁ ପ୍ରସ୍ତୁତ କରୁଛନ୍ତି କାରିଗର l

ସତ୍ୟଶିଖା ୩୧.୦୭.୨୦୨୦  ( ନୂଆଦିଲ୍ଲୀ ) : ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଅଗଷ୍ଟ 5 ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏହି ଉତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି। ସାରା ଭାରତର ନଜର ଏବେ ଅଯୋଧ୍ୟା ସହର ଉପରେ ଅଛି । କେଉଁଠି ରାସ୍ତା ଚଉଡ଼ା କରାଯାଉଛି ତ ଆଉ କେଉଁଠି କାନ୍ଥରେ ପେଣ୍ଟିଂ କରାଯାଉଛି । ଚିତ୍ର ମାଧ୍ୟମରେ ଧାର୍ମିକ ସହରକୁ ସୁନ୍ଦର କରାଯାଉଛି । ସହରର ରାସ୍ତାଗୁଡ଼ିକ ପ୍ରଶସ୍ତ କରାଯାଉଛି । ସରଜୁ ନଦୀର ଘାଟକୁ ସଫା କରିବା କରିବା ସହ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ଏହା ଭିତରେ ପୂଜା ପାଇଁ ବିଭିନ୍ନ ରାଜ୍ୟର ନଦୀରୁ ପାଣି ଏବଂ ମାଟି ମଧ୍ୟ ଆସିଯାଇଛି । ସେହିପରି ପୂଜା ପାଇଁ ସ୍ୱତନ୍ତ୍ର ଲଡୁ ମଧ୍ୟ ପ୍ରସ୍ତୁତ ହୋଇଛି । ମଣିରାମ ଦାସ ଛାବନି ଠାରେ ପୂଜାପାଇଁ ସ୍ୱତନ୍ତ୍ର ଭାବେ ଏକ ଲକ୍ଷ ଏଗାର ହଜାର ଲଡୁ ପ୍ରସ୍ତୁତ କରାଯାଉଛି । ଏହି ଲଡୁ ଗୁଡିକ ଷ୍ଟିଲ ବକ୍ସ ମଧ୍ୟରେ ରଖି ପୂଜା ପରେ ପ୍ରସାଦ ଭାବେ ବଣ୍ଟନ କରାଯିବ । ଅଯୋଧ୍ୟାକୁ ଅଧିକ ସୁନ୍ଦର ଏବଂ ଆଧୁନିକ କରିବା ପାଇଁ ପୂର୍ବରୁ 360 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଆରମ୍ଭ ହୋଇସାରିଛି । ଆଧୁନିକୀକରଣ ପାଇଁ 140 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ ।

ସେହିପରି ବର୍ତ୍ତମାନ ନମାମି ଗଙ୍ଗା ଯୋଜନାରେ ସରଜୁ ନଦୀ ସହ ଜଡିତ ଥିବା ସମସ୍ତ ନାଳ ପାଣିକୁ ଟ୍ରିଟମେଂଟ ପ୍ଲାଣ୍ଟ ମାଧ୍ୟମରେ ସଫା କରାଯାଉଛି । ଭବିଷ୍ୟତରେ ତୀର୍ଥ ଯାତ୍ରୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ରାମ ନଗରୀରେ ପରିବହନ ସୁବିଧାର ବିକାଶ ମଧ୍ୟ କରାଯାଉଛି । ରେଳ ଷ୍ଟେସନ ଏବଂ ବସ୍ ଟର୍ମିନାଲ ପ୍ରକଳ୍ପର କାର୍ଯ୍ୟ 2019ରେ ଆରମ୍ଭ ହୋଇଥିଲା, କିନ୍ତୁ କୋର୍ଟ ମାମଲା ଏବଂ ପରେ କୋଭିଡ -19 ମହାମାରୀ ହେତୁ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି ।

Show More
Back to top button