କୂଅରୁ ମିଳିଲା ୯ ଜଣଙ୍କ ମୃତ ଶରୀର


ହାଇଦ୍ରାବାଦ: ଶୁଖିଲା କୂଅରୁ ୯ ଜଣଙ୍କ ମୃତ ଶରୀର ଉଦ୍ଧାର ହୋଇଛି। ପୁଲିସ ମୃତ ଶରୀରର ଶବ ବ୍ୟବଛେଦ କରାଇଛି। ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ମଧ୍ୟରେ ତ୍ରିପୁରା ଏବଂ ବିହାରର ଥିବା ବେଳେ ଗୋଟିଏ ପରିବାରର ୬ ଜଣ ମଧ୍ୟ ରହିଛନ୍ତି। ତେଲେଙ୍ଗାନାର ଓ୍ୱାରାଙ୍ଗଲ ଜିଲ୍ଲାରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ
ଗୁରୁବାର ୪ ଜଣଙ୍କ ମୃତ ଶରୀର ପୁଲିସ ପ୍ରଥମେ ଉଦ୍ଧାର କରିଥିଲା ପରେ ଆଉ ୫ ଜଣଙ୍କ ମୃତ ଶରୀର ଶୁକ୍ରବାର ପୁଲିସ ଉଦ୍ଧାର କରିଛି। ମୃତକଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଅନ୍ୟପଟେ କୂଅଟି ମଧ୍ୟ ଶୁଖିଲା ରହିଛି। ତେଣୁ ପୁଲିସ ଏହାକୁ ସନ୍ଦେହ ଜନକ ମୃତ୍ୟୁ ବୋଲି ତଦନ୍ତ ଚଳାଇଛି।
ମୃତକଙ୍କ ମଧ୍ୟରୁ ୭ ଜଣ ନିକଟରେ ଏକ ସ୍ଥାନରେ କାମ କରୁଥିଲେ। ମୃତକଙ୍କ ମଧ୍ୟରୁ ଜଣେ ଝିଅର ଜନ୍ମଦିନ ଥିଲା। ଏହି ଅବସରରେ ସେମାନେ ଜନ୍ମଦିନ ପାଳନ କରି ଭୋଜି କରିଥିଲେ। ଏହାପରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏମାନେ ମୃତ୍ୟୁ ବରଣ କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ଚିତ୍ର ସାମ୍ନାକୁ ଆସିବ ବୋଲି ଓ୍ୱାରାଙ୍ଗଲ ପୁଲିସର ମୁଖ୍ୟ ଭି ରବୀନ୍ଦର କହିଛନ୍ତି। ତେଲେଙ୍ଗାନା ସରକାର ଏମାନଙ୍କର ଅନ୍ତିମ ସଂସ୍କାର କରିବେ ବୋଲି ଜଣାପଡ଼ିଛି।