କୂଅରୁ ମିଳିଲା ୯ ଜଣଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା


ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗଲ ରୁରାଲର ଏକ କୂଅରୁ ୯ ଜଣଙ୍କ ମୃତଦେହ ଠାବ ହୋଇଛି। ୯ ଜଣଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଦୁଇ ଜଣ ବିହାରର ଓ ଜଣେ ତ୍ରିପୁରାର ବୋଲି ଜଣାପଡ଼ିଛି। ତେବେ ଏମାନେ କେମିତି ପ୍ରାଣ ହରାଇଲେ ସେକଥା ଜଣାପଡ଼ିନାହିଁ।
ଗୁରୁବାର ପୁଲିସ୍ ପ୍ରଥମେ କୂଅରୁ ୪ଟି ମୃତଦେହ ଉଦ୍ଧାର କରିଥିଲା। ଶୁକ୍ରବାର ସନ୍ଧ୍ୟାରେ ଆଉ ୫ଟି ମୃତଦେହ ଠାବ ହୋଇଥିଲା। ମୃତଦେହ ଗୁଡ଼ିକରେ କୌଣସି କ୍ଷତ ଚିହ୍ନନାହିଁ।
ଆହୁରି ପଢ଼ନ୍ତୁ
ୱାରଙ୍ଗଲ ପୁଲିସ୍ ମୁଖ୍ୟ ଭି ରବୀନ୍ଦ୍ର କହିଛନ୍ତି, ଆମେ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ। ଉଭୟ ହତ୍ୟା ଓ ଆତ୍ମହତ୍ୟା ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ କରାଯାଉଛି। ବର୍ତ୍ତମାନ କୂଅଟିରୁ ସବୁ ପାଣିକୁ କାଢ଼ି ନିଆଯାଇଛି। ମୃତ ୯ ଜଣଙ୍କ ମଧ୍ୟରୁ ୭ ଜଣ ଅଖା ଷ୍ଟିଚିଂ ୟୁନିଟ୍ରେ କାମ କରୁଥିଲେ। ସେମାନେ ସମସ୍ତେ ଜଣେ ଶ୍ରମିକଙ୍କ ୩ ବର୍ଷୀୟ ଝିଅଙ୍କ ଜନ୍ମଦିନ ପାଇଁ ଏକାଠି ଡିନର କରିଥିବା ଜଣାପଡ଼ିଛି।
ଏହି ଝିଅଟି ମଧ୍ୟ ପ୍ରାଣ ହରାଇଛି। ଯେଉଁ ପରିବାରର ୬ ଜଣ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ୨୦ ବର୍ଷ ତଳେ ସେ ପଶ୍ଚିମବଙ୍ଗରୁ ୱାରଙ୍ଗଲ ଆସି ଏହି ଠାରେ ହିଁ ସ୍ଥାୟୀ ଭାବେ ରହିଛନ୍ତି। ତାଙ୍କ ପରିବାର ୟୁନିଟ୍ ପରିସରରେ ଥିବା ଘରର ଦୁଇଟି ରୁମରେ ରହୁଥିଲେ।