ଦେଶ

କାହିଁକି ହଠାତ୍‌ ରକ୍ତମୁଖା ହୋଇ ଉଠିଛି ଚାଇନା? ରହିଛି ଏହି ସବୁ କାରଣ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ କିଛି ନୂଆ କଥା ନୁହେଁ। ତେବେ ଦୀର୍ଘ ୪୫ ବର୍ଷ ପରେ ଦୁଇ ଦେଶର ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଛି ଓ ଯବାନଙ୍କ ମୁଣ୍ଡ ବି ଗଡ଼ିଛି। ଚାଇନା ସୀମାରେ ୧୯୭୫ରେ ଶେଷଥର ପାଇଁ ସଂଘର୍ଷ ଘଟିଥିଲା। ତେବେ ଦୀର୍ଘ ଦଶନ୍ଧି ପରେ ହଠାତ୍‌ ଚାଇନା କାହିଁକି ଏବେ ରକ୍ତମୁଖା ହୋଇଉଠିଛି? ଚାଇନା ସରକାର କାହିଁକି ଭାରତ ସହ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଁଛନ୍ତି, ଏମିତି ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

କରୋନା ଯୋଗୁ ସାରା ବିଶ୍ୱରେ ଏକ ଘରକିଆ ହୋଇଥିବା ଚାଇନା ଏହା ଉପରକୁ ନଜର ହଟାଇବା ପାଇଁ ଏଭଳି କରୁଥିବା କୁହାଯାଉଛି। ଜାଣିଶୁଣି ଏଲଏସିରେ ଚାଇନା ଏଭଳି କରି ନିଜର ପିତିଆରା ଜାହିର କରିବାକୁ ଚେଷ୍ଟା କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

ଚାଇନା ପଡ଼ୋଶୀ ଭାରତ ସହ ବିବାଦ ସୃଷ୍ଟି କରିବାର ଏହି ସବୁ କାରଣ ରହିଛି ବୋଲି କୁହାଯାଉଛି। ସେଗୁଡ଼ିକ ହେଲା-

୧- ନିୟନ୍ତ୍ରଣ ରେଖା ନିକଟରେ ଭାରତ ପକ୍ଷରୁ ତାରବୁକ୍‌ରୁ ଦୌଲତ୍ ବେଗ୍ ଓଲ୍ଡିର ୨୫୫ କିଲୋମିଟରର ରାସ୍ତାକୁ ଯୋଡ଼ିବା ଲାଗି ଅନେକ ସଂଯୋଗକାରୀ ରାସ୍ତା ଓ ବ୍ରିଜ୍ ନିର୍ମାଣ କରୁଛି। ଏହା ଅନ୍ତର୍ଗତ ଗଲଓ୍ୱାନ୍ ନାଲା ଉପରେ କଂକ୍ରିଟ୍ ବ୍ରିଜ୍ ନିର୍ମାଣ କରାଯାଉଛି। ତେବେ ଏହାକୁ ଚାଇନା ଜୋରଦାର ବିରୋଧ କରୁଛି।

୨- ୧୯୬୨ ଯୁଦ୍ଧରେ ଚାଇନା ଭାରତର ଅକସାଇ-ଚାଇନା ଉପରେ କବଜା କରିଥିଲା। ତେବେ ୧୯୫୦ର ଷ୍ଟାଟସ-କୋ ଅନୁସାରେ ଅକସାଇ-ଚାଇନାକୁ ନିଜ ଦଖଲକୁ ନେବା ଲାଗି ଭାରତ ଭିତ୍ତିଭୂମି ନିର୍ମାଣ କରୁଥିବା ଚାଇନା ସନ୍ଦେହ କରିବାରେ ଲାଗିଛି। ଏଥିସହ ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର ବା ସିପେକ୍ ନିର୍ମାଣ ହେଉଥିବା ପାକ୍ ଅଧିକୃତ କଶ୍ମୀରର ଗିଲଗିଟ୍-ବଲଟିସ୍ତାନ ଉପରେ ଭାରତ ଏହାର ଅଧିକାର ଜାହିର କରିବା ଚାଇନାକୁ ବିଚଳିତ କରୁଛି।

ଆହୁରି ପଢ଼ନ୍ତୁ

୩- ଉହାନ୍ ଲ୍ୟାବରୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ସେହିପରି ଚାଇନା ଭୂତାଣୁ ସଂକ୍ରମଣ ବିଷୟରେ ବିଶ୍ୱକୁ ଅନ୍ଧକାରରେ ରଖିଥିବା ଅଭିଯୋଗ ବି ଉଠୁଛି। କୋଭିଡ୍ ସଂକ୍ରମଣରେ ଚାଇନା ଭୂମିକାର ନିରପେକ୍ଷ ଯାଞ୍ଚ ପାଇଁ ୬୨ ଦେଶକୁ ନେଇ ଗଠିତ କମିଟିକୁ ଭାରତ ସମର୍ଥନ ଦେଇଥିଲା। ତେଣୁ ଚାଇନା ଭାରତ ଉପରେ ରାଗ ସୁଝାଇବାକୁ ଚେଷ୍ଟା କରୁଛି।

୪- ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣାକୁ ନେଇ ବି ଚାଇନା ପୂର୍ବରୁ ଜାତିସଂଘରେ ଆପତ୍ତି ଉଠାଇଥିଲା। ଭାରତର ଏଭଳି ନିଷ୍ପତ୍ତି ଚାଇନାର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଚାଇନା ପକ୍ଷରୁ କୁହାଯାଇଥିଲା। ତେବେ ଜାତିସଂଘ ଏହାକୁ ଆଦୌ ଗୁରୁତ୍ୱ ଦେଇ ନଥିଲେ।

୫- ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ର ସମୂହ ବା ଜି-୭ର ସଂପ୍ରସାରଣ କରି ଏଥିରେ ଭାରତକୁ ସାମିଲ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ବି ଚାଇନା ହଜମ କରିପାରୁନି। ଏହିସବୁ କାରଣ ପାଇଁ ଚାଇନା ଏବେ ଅଧିକ ହିଂସ୍ର ହୋଇ ଉଠିଥିବା କୁହାଯାଉଛି।

୬- କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ବିଶ୍ୱ ସହ ନିଜ ଦେଶରେ ବି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପ୍ରଶାସନକୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି। ଦିନକୁ ଦିନ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହେଉଛି। ଏପରି ସ୍ଥିତିରେ ବେଜିଂରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଉଗ୍ରରୂପ ଧାରଣ କରୁଛି।

ତେଣୁ ଜିନପିଙ୍ଗ ପ୍ରଶାସନ ନିଜର ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଏଭଳି ଭାରତ ସହ ତିକ୍ତତା ସୃଷ୍ଟି କରୁଛି। କୋଭିଡ୍ ବିଫଳତାରୁ ଦେଶବାସୀଙ୍କ ନଜର ହଟାଇବା ଲାଗି ଚାଇନା ସରକାର ଏଲଏସିକୁ ଅଶାନ୍ତ କରିଥିବା ଚର୍ଚ୍ଚା ହେଉଛି।

[ad_2]
Show More
Back to top button