କାବୁଲ ଗୁରୁଦ୍ୱାରରେ ଆକ୍ରମଣ, ୧୧ ମୃତ


କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ ଆଜି ଆତଙ୍କବାଦୀମାନେ ଆତ୍ମଘାତୀ ହମଲା କରିଛନ୍ତି। ଏଥିରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। କରୋନା ଭାଇରସ ବିରୋଧରେ ସାରା ବିଶ୍ୱ ଲଢ଼େଇ କରୁଥିବା ବେଳେ ଆତଙ୍କବାଦୀମାନେ ଗୁରୁଦ୍ୱାର ଉପରେ ହମଲା କରିବା ଘଟଣାକୁ ଭାରତ ସରକାର କଡ଼ା ନିନ୍ଦା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ କରି କହିଛନ୍ତି, “କାବୁଲରେ ଏକ ଗୁରୁଦ୍ୱାରା ଉପରେ ହୋଇଥିବା ଆତ୍ମଘାତୀ ହମଲାକୁ କଡ଼ା ନିନ୍ଦା କରାଯିବା ଦରକାର। ଏହି ହତ୍ୟାକାଣ୍ଡ କେତେକ ଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ପୁଣିଥରେ ପ୍ରମାଣିତ କରିଛି। ତେଣୁ ସେମାନଙ୍କ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେବାକୁ ପ୍ରୟାସ କରାଯିବା ଉଚିତ।”
ଆହୁରି ପଢ଼ନ୍ତୁ
କାବୁଲର ଶୋର ବଜାରରେ ଥିବା ଗୁରୁଦ୍ୱାର ଉପରେ ଆଜି ସକାଳ ୭.୪୫ରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ। ଏହି ସମୟରେ ୧୫୦ ଜଣ ଶ୍ରଦ୍ଧାଳୁ ଏହା ମଧ୍ୟରେ ଥିଲେ। ଗୁଳି ମାଡ଼ କରିବା ପରେ ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ଘଟଣା ସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ଏହି ସମୟରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି। କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ ଏଥିପାଇଁ ନିଜକୁ ଦାୟୀ କରିଛି।