କଶ୍ମୀରରେ ଗଡ଼ିଲାଣି ୧୦୦ରୁ ଅଧିକ ଆତଙ୍କୀଙ୍କ ମୁଣ୍ଡ, ଆଜି ବି ୫ ସଫା


ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। କଶ୍ମୀରରେ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ପ୍ରାୟ ୧୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଚଳିତ ବର୍ଷ ଗୁଳି କରି ନିପାତ କରିସାରିଲେଣି। ଆଜି ଗୋଟିଏ ଦିନରେ ୫ ଜଣଙ୍କ ମୁଣ୍ଡ ଗଡ଼ିଛି।
ଗୋଟିଏ ପଟେ କରୋନା ଭାଇସର ସହ ପୂରା ଦେଶ ଲଢ଼େଇ କରୁଥିବା ବେଳେ ଆତଙ୍କବାଦୀମାନେ ଉପତ୍ୟକାରେ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି। ହେଲେ ସୁରକ୍ଷାକର୍ମୀମାନେ ଏହାର ଜୋରଦାର ଜବାବ ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ଆଜି ଶୋପିଆନର ସୁଗୋ ଗାଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ପ୍ରଥମେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ମିଳିଥିଲା। ତେବେ ସର୍ଚ୍ଚ ଅପରେସନ ବେଳେ ଆଉ ଜଣଙ୍କ ମୃତଦେହ ମିଳିଛି। ଏହି ଆତଙ୍କବାଦୀମାନେ ଏକ ଘର ମଧ୍ୟରେ ଲୁଚି ଥିବା ବେଳେ ସୁରକ୍ଷାକର୍ମୀମାନେ ଏହାକୁ କର୍ଡନ କରି ସେମାନଙ୍କର ମୁକାବିଲା କରିଥିଲେ।
ରବିବାର ଠାରୁ ଆଜି ମଧ୍ୟରେ ଶୋପିଆନରେ ୩ଥର ଏନକାଉଣ୍ଟର ହେଲାଣି। ଏଥିରେ ପ୍ରାୟ ୧୪ରୁ ଅଧିକ ଆତଙ୍କୀ ନିହତ ହୋଇଛନ୍ତି। ନିକଟରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ଏହାକୁ ପଣ୍ଡ କରିଦେଇଥିଲେ।
ସେବେଠାରୁ ଆତଙ୍କବାଦୀମାନେ ବିଭିନ୍ନ ଉପାୟରେ ହମଲା କରିବାକୁ ଯୋଜନା କରୁଥିଲେ ହେଁ ଏଯାଏ ଏଥିରେ ସଫଳତା ପାଇନାହାନ୍ତି। ଆଗକୁ ଆତଙ୍କୀମାନେ ବଡ଼ଧରଣର ହମଲା କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି।